ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ରାଜ୍ୟର ସମସ୍ତ ସହର ଏଲ୍ଇଡି ଲାଇଟ୍ରେ ଝଲସିବ। ରାଜ୍ୟର ସମସ୍ତ ସହରାଞ୍ଚଳକୁ ଆଲୋକୀକରଣ କରାଯିବା ପାଇଁ ଗତ ବର୍ଷ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହା ଆସନ୍ତା ଡିସେମ୍ବର ସୁଦ୍ଧା ପୁରଣ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ବୁଧବାର ରାଜ୍ୟ ଲୋକସେବା ଭବନରେ ସହରାଞ୍ଚଳ ଆଲୋକୀକରଣ ପ୍ରକଳ୍ପ ବିଷୟରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ତେବେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ରାଜ୍ୟର ୧୧୪ଟି ସହରାଞ୍ଚଳରେ ସବୁ ପୁରୁଣା ବଲ୍ବ ଖୋଲାଯାଇ ନୂଆ ଏଲ୍ଇଡି ଲାଇଟ୍ ଲଗାଯିବ। ଏବଂ ସବୁ ସହରାଞ୍ଚଳର ରାସ୍ତାକୁ ଆଲୋକୀକରଣ କରାଯିବ ବୋଲି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଏସମସ୍ତ ପ୍ରକ୍ରିୟା ୩ଟି ପର୍ଯ୍ୟାୟରରେ କରାଯାଉଥିବା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୫ଟି ମହାନଗର ନିଗମରୁ ଅଧିକ ଶକ୍ତି ବ୍ୟବହାର କରୁଥିବା ପୁରୁଣା ବଲ୍ବଗୁଡ଼ିକୁ ବଦଳାଇ ତା’ ପରିବର୍ତ୍ତେ ଶକ୍ତ ସଞ୍ଚୟକାରୀ ଏଲ୍ଇଡି ବଲ୍ବ ବ୍ୟବହାର କରାଯାଉଛି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବଳକା ଥିବା ୧୦୯ଟି ପୌରାଞ୍ଚଳରେ ପୁରୁଣା ବଲ୍ବଗୁଡ଼ିକୁ ବଦଳାଇ ନୂଆ ଏଲ୍ଇଡି ଲଗାଯାଉଛି। ଏହି କାର୍ଯ୍ୟକୁ ପୁରା କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଇଇଏସ୍ଏଲ୍ ସଂସ୍ଥାକୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି।
ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସହରାଞ୍ଚଳର ରାସ୍ତାକୁ ଆଲୋକୀକରଣ କରାଯାଉଛି। ଭୁବନେଶ୍ୱରକୁ ବାଦ୍ ଦେଲେ ରାଜ୍ୟର ଥିବା ୧୧୩ଟି ପୌରାଞ୍ଚଳର ରାସ୍ତାଗୁଡ଼ିକ ଆଲୋକୀକରଣ କରାଯିବ। ଏହି କାର୍ଯ୍ୟ ରାଜ୍ୟର ଘରୋଇ ଉଦ୍ଦ୍ୟୋଗୀମାନଙ୍କ ସହାୟତାରେ ପୁରା କରାଯିବ। ଟେଣ୍ଡର ମାଧ୍ୟମରେ ୩ଟି ଘରୋଇ ସଂସ୍ଥା ଚୟନ କରାଯାଇ ଏହି କାର୍ଯ୍ୟକୁ ଜାରି ରଖାଯାଇଛି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଏସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।


















