ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦୦ ଦିନର ମୋଦି-୨ ସରକାର ସଫଳତା ବଖାଣୁଥିବା ବେଳେ ଆର୍ଥିକ ମାନ୍ଦାବସ୍ଥାରେ ୧୪ ଲକ୍ଷ କୋଟି ହରାଇ ଧୈର୍ଯ୍ୟହରା ହେଉଛନ୍ତି ନିବେଶକାରୀ।

ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ। ସରକାର ତାଙ୍କର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ ଏପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ି ତଳିତଳାନ୍ତ ହେବାକୁ ବସିଲାଣି। ସରକାରଙ୍କ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ପାଇଁ ଦେଶର ପୁଞ୍ଜିବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି।

ବିଗତ କିଛିମାସ ଭିତରେ ନିବେଶକାରୀମାନେ ସେୟାର୍ ବଜାରରେ ପାଖାପାଖି ୧୪ ଲକ୍ଷ କୋଟି ହରାଇ ସାରିଲେଣି। ସେନ୍ସେକ୍ସ ଏବଂ ନିଫ୍ଟି ଆଦି ସୂଚକାଙ୍କରେ କ୍ରମାଗତ ପତନ ଏବଂ କ୍ରମାଗତ ସେୟାର୍ ବିକ୍ରି ହେତୁ ନିବେଶକମାନେ ଅନେକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହାସହ ନିବେଶକାରୀମାନେ ପୁନଃନିବେଶ ଲାଗି ମଧ୍ୟ ପଛଘୁଞ୍ଚା ଦେଉଛନ୍ତି।

ମାନ୍ଦାବସ୍ଥା ଓ ବଜାରରେ ଲାଗି ରହିଥିବା ମନ୍ଥରତାଜନିତ ସଙ୍କଟକୁ କେନ୍ଦ୍ରକରି  ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ନୂତନ ନୀତି ପ୍ରଣୟନ ହୋଇଥିଲା। କିନ୍ତୁ ଏହାର କୌଣସି ଆଖିଦୃଶିଆ ପ୍ରଭାବ ଏ ପର୍ଯ୍ୟନ୍ତ ନିବେଶକାରୀମାନଙ୍କ ଉପରେ ପଡ଼ିନାହିଁ।

ବର୍ତ୍ତମାନ ପରିସ୍ଥିତିରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ମାତ୍ର ୧୪ ପ୍ରତିଶତ ସେୟାରରେ ବୃଦ୍ଧି ଦେଖାଦେଇଛି। ଏଥିରେ ସକ୍ରିୟ ଥିବା ୨୬୬୪ ବାଣିଜ୍ୟିକ କମ୍ପାନି ମଧ୍ୟରୁ ୨୨୯୦ଟିର ଷ୍ଟକରେ ପ୍ରାୟ ୯୬ ପ୍ରତିଶତ କ୍ଷତି ହୋଇଥିବା ଜଣାପଡ଼ିଛି। ସେ ମଧ୍ୟରୁ ୪୨୨ ଟି କମ୍ପାନିର ଷ୍ଟକରେ ୪୦%, ୧୩୭୨ଟି କମ୍ପାନିର ୨୦% ଏବଂ ୧୮୭୨ଟି କମ୍ପାନିର ଷ୍ଟକରେ ୧୦% ପର୍ଯ୍ୟନ୍ତ କ୍ଷତି ହୋଇଛି।

ସରକାରଙ୍କ ଦ୍ୱାରା ସରଚାର୍ଜ ଲାଗୁ ହେବାର ମାତ୍ର ୧୦୦ ଦିନ ଭିତରେ ନିବେଶକାରୀମାନେ ୩୧,୭୦୦ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଏହା ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଝଟକା।

ବର୍ତ୍ତମାନ ସମୟରେ ଷ୍ଟକ ବଜାର ସେନ୍ସେକ୍ସ ଏବଂ ନିଫ୍ଟିରେ ୭ ପ୍ରତିଶତ ହ୍ରାସ ଦେଖାଦେଇଛି। ଦେଶର ଅର୍ଥନୀତିକୁ ସର୍ବାଧିକ ଅନୁଦାନ କରୁଥିବା ଅଟୋମୋବାଇଲ୍ କମ୍ପାନି ଏବଂ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ମାନ୍ଦାବସ୍ଥା ଓ ସରକାରଙ୍କ ନୂତନ ନିବେଶ ଆଇନର ପ୍ରଭାବରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହୋଇଛନ୍ତି। ଫଳସ୍ଵରୂପ ନିବେଶକାରୀ ମାନେ ଏସବୁ କମ୍ପାନିରେ ନିବେଶ କରିବା ପାଇଁ ଅସୁରକ୍ଷିତ ମନେ କରିବା ସହ ଆଇଟି ଓ ଫାର୍ମା କମ୍ପାନିରେ ନିବେଶପାଇଁ ଆଗ୍ରହ ପ୍ରକାଶ କରୁଥିବାର ଜଣାପଡ଼ିଛି।

ଏଚଡିଏଫସି ସିକ୍ୟୁରିଟିଜ୍‌ର ଗବେଷଣା ମୁଖ୍ୟ ଦୀପକ ଯଶାନୀଙ୍କ କହିବା ଅନୁସାରେ, ଆର୍ଥିକ ସ୍ଥିତିରେ ସୁଧାର ନିମନ୍ତେ ବିତ୍ତୀୟଧାରାକୁ ଆଖିରେ ରଖି ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଇଛି। କିନ୍ତୁ ଏହି ପଦକ୍ଷେପଗୁଡ଼ିକ ଯଥେଷ୍ଟ କି ନାହିଁ ତାହା ଚିନ୍ତାର ବିଷୟ। ତେବେ ଏଭଳି ପରିସ୍ଥିତିରେ ଆର୍ଥିକ ସୁଧାର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ନିବେଶକମାନଙ୍କୁ ପରାମର୍ଶ ଦେଇଛନ୍ତି ଯଶାନୀ।

Comment