ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ମାସ ତଳେ ବିଧବା ହୋଇଯାଇଥିବା ବୋହୂକୁ ନିଜ ଭାଇର ପୁଅ ସହ ବାହା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରତିମା।

ଗତ ଦୁଇ ମାସ ତଳେ ତାଳଚେର ଗୋବରା ଗ୍ରାମର ଲିଲି ବେହେରାଙ୍କ ମଥାରୁ ଲିଭି ଯାଇଥିଲା ସିନ୍ଦୂର। ପୋଡ଼ା କପାଳକୁ ଧରି ଲିଲି ଶଶୂ ଘରେ ପଡ଼ି ରହିଥିଲେ। ହେଲେ ଲିଲିଙ୍କର ସେହି ପୋଡ଼ା କପାଳରେ ଆଜି ପୁଣି ସିନ୍ଦୂର ଲାଗିଛି। ଲିଲିଙ୍କ ଶାଶୂ ପ୍ରତିମା ବେହେରା ଏଭଳି ପୂଣ୍ୟ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ବାହାଘର ପରି ମାଙ୍ଗଳିକ କାମ କରିଥିବାରୁ ଆଖପାଖ ଗାଁରେ ପ୍ରତିମାଙ୍କ ପ୍ରଶଂସା ଚାଲିଛି।

ପ୍ରତିମା ବେହେରା ହେଉଛନ୍ତି ଗୋବରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ। ଗତ ଫେବ୍ରୁଆରି ମାସରେ ସେ ତାଙ୍କ ସାନ ପୁଅ ରଶ୍ମିରଞ୍ଜନର ବାହାଘର କରିଥିଲେ। ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କୁ ବାହା ହୋଇଥିଲେ ରଶ୍ମିରଞ୍ଜନ। ରଶ୍ମିରଞ୍ଜନ ଏବଂ ପ୍ରତିମାଙ୍କ ବୈବାହିକ ଜୀବନ ହସଖୁସିରେ ଚାଲେ।

ହେଲେ ହସଖୁସିର ସଂସାର ହଠାତ ଉଜୁଡ଼ିଗଲା। ଭରତପୁର କୋଇଲାଖଣି ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ରଶ୍ମି। ଲିଲିଙ୍କ ମଥାର ସିନ୍ଦୁର ଲିଭିଗଲା। କମ୍‌ ବୟସରେ ବିଧବା ହୋଇ ଯାଇଥିବାରୁ ଲିଲି ନିଜ କପାଳକୁ ନିନ୍ଦି ଚାଲିଥିଲେ।

ହେଲେ ରଶ୍ମିଙ୍କ ବଡ଼ଭାଇ ଏବଂ ତାଙ୍କ ସ୍ତ୍ରୀ ଲିଲିଙ୍କର ଦୁଃଖ ଦେଖିପାରିଲେନି। ଲିଲିଙ୍କ ଦେଢ଼ଶୂର ଏବଂ ଜା’ ମା’ ପ୍ରତିମାଙ୍କ ପାଖରେ କଥା ପକାଇଲେ। ଲିଲିଙ୍କୁ ଅନ୍ୟତ୍ର ବାହା ଦେବା ପାଇଁ ସ୍ଥିର କଲେ।

ଶାଶୂ ପ୍ରତିମା ଏହି ପ୍ରସ୍ତାବ ନେଇ ଲିଲିଙ୍କ ପାଖକୁ ଗଲେ। ହେଲେ ଲିଲି ଆଉ ଥରେ ବାହା ହେବାକୁ ମନା କରିଦେଇଥିଲେ। ସମସ୍ତେ ବୁଝା ସୁଝା କରିବା ପରେ ଲିଲି ବାହା ହେବାକୁ ରାଜି ହୋଇଥିଲେ।

ବୋହୂ ମୁହଁରୁ ହଁ ଶୁଣିବା ପରେ ପ୍ରତିମା ବର ଖୋଜିଲେ। ସିଧା ହେମସୁରପଡ଼ାରେ ରହୁଥିବା ନିଜ ଭାଇ ପ୍ରାଣବନ୍ଧୁ ବେହେରାର ପୁଅ ପାଇଁ ବୋହୂର ପ୍ରସ୍ତାବ ନେଇଗଲେ। ପ୍ରାଣବନ୍ଧୁ ଏଥିରେ ରାଜି ହୋଇଗଲେ। ଭଣଜା ବୋହୂକୁ ନିଜ ବୋହୂ କରିବାକୁ ହଁ କଲେ।

ବାହାଘର ପାଇଁ ନୀତି ନିର୍ଘଣ୍ଟ ହେଲା। ଅନୁଗୁଳର ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରରେ ସାହାନାଈ ବାଜିଲା। ବିଧବା ଲିଲିଙ୍କ ମଥାରେ ସିନ୍ଦୂର ଲାଗିଲା।

Comment