ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା: ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡାର ଆତ୍ମସମର୍ପଣ। ତା’କୁ ଧରିବା ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ମଙ୍ଗଳ ସିଂହ ଏସ୍‌ଡିଏସ୍‌ ଡିଭିଜନ(ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ବଲପୁର)ର ମାଓ ସଙ୍ଗଠନରେ ସକ୍ରିୟ ଥିଲା। ଶନିବାର ସମ୍ବଲପୁର ଏସପି କନୱାର ବ୍ରଜେଶ ସିଂ ଓ ରାଉରକେଲା ଏସପି କେ ଶିବା ସୁବ୍ରମଣିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମଙ୍ଗଳ।

ଏସ୍‌ଡିଏସ୍‌ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଅଧୀନରେ କାର୍ଯ୍ୟ କରୁଥିଲା ମଙ୍ଗଳ। ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ କେ ବଲାଙ୍ଗ ସମେତ ଦେବଗଡ଼ ଓ ଅନୁଗୁଳ ମାଓ ପ୍ରଭାବିତ ଅଞ୍ଚଳରେ ବହୁ ସଙ୍ଗୀନ ଅପରାଧିକ ମାମଲା ମଙ୍ଗଳ ନାଁରେ ରହିଛି। ସେହିପରି ମାଓ ନେତାଙ୍କ ସୁରକ୍ଷାରେ ମଙ୍ଗଳ ନିୟୋଜିତ ଥିଲା ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି।

ମାଓ ନେତା ଅନମୋଲର ଅତ୍ୟାଚାର ସାଙ୍ଗକୁ ପୁଲିସର ଘନଘନ କୁମ୍ବିଂ ଅପରେସନରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନାରେ ମଙ୍ଗଳକୁ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଏସପି କେ ଶିବା ସୁବ୍ରମଣି।

Comment