ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ଡାହାଣୀ ସନ୍ଦେହରେ ପ୍ରଜା କୋର୍ଟ ବସିଲା ଏବଂ ମା’ ଝିଅଙ୍କୁ ମିଳିଲା ମୃତ୍ୟୁଦଣ୍ଡ। ଏଭଳି ଏକ ଅଭାବନୀୟ ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡର ଗାଇଡେଗା ଗ୍ରାମର ରାବଣ ଝୋଲା ବସ୍ତିରେ ଘଟିଥିବା ଏହି ଘଟଣାର ଏପର୍ଯ୍ୟନ୍ତ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ପୋଲିସ ଗିରଫଦାରୀ ଭୟରେ ଗାଇଡେଗା ଗାଁ ଏବେ ଜନଶୁନ୍ୟ ହୋଇପଡ଼ିଥିବା ବେଳେ ଏଭଳି ଅମାନବୀୟ ଘଟଣା ସଭ୍ୟ ସମାଜ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଗତ ସେପ୍ଟେମ୍ବର ୯ ତାରିଖ, ସମୟ ସନ୍ଧ୍ୟା ୭ଟା। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗାଇଡେଗା ଗାଁରେ ଚାଲିଥିଲା କରମା ପୂଜା। ଉତ୍ସବର ମାହୋଲରେ ଗ୍ରାମବାସୀ ବେଶ ମତୁଆଲା ଥିଲେ। ଅନ୍ୟପଟେ ଗାଁର ରାବଣ ଝୋଲା ପଡ଼ାସ୍ଥିତ ଏକ ଖୋଲା ସ୍ଥାନରେ ୨୪ ଜଣ ପରିବାରଙ୍କୁ ନେଇ ଚାଲିଥିଲା ପ୍ରଜାକୋର୍ଟ। ଗାଁର ବିଭିନ୍ନ ସୁବିଧା ଅସୁବିଧା ଓ ତାର ପ୍ରତିକାର ବାବଦରେ ବିଚାର ବିମର୍ଷ ଚାଲିଥିଲା।
ଯେଉଁଠି ଚର୍ଚ୍ଚାର ପ୍ରମୂଖ କେନ୍ଦ୍ରବିନ୍ଦୁ ଥିଲେ ଗାଁର ବିସା କେରକେଟା ଓ ତାଙ୍କ ପତ୍ନୀ ଗାଙ୍ଗି କେରକେଟା। ସେମାନେ ଡାହାଣୀ ବୋଲି ଗୁରୁତର ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ଯେଉଁ କାରଣରୁ ଅନେକ ଅଘଟଣ ଘଟୁଥିବା ଓ ନିକଟରେ ଜଣେ ମୃତ୍ୟୁବରଣ କରିସାରିଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ବିସା ଓ ଗାଙ୍ଗି ଡାହାଣୀ ବୋଲି ପ୍ରଚଣ୍ଡ ଅନ୍ଧ ବିଶ୍ୱାସ ଭରି ରହିଥିଲା ଲୋକଙ୍କ ମନରେ। ଏହାପରେ ପ୍ରଜାକୋର୍ଟରେ ଉଭୟେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଜାକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ।
ଗାଁ ମୁଣ୍ଡରେ ଥିବା ଏକ ନିରୋଳା ସ୍ଥାନରେ ବସିଥିବା ପ୍ରଜାକୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ସବୁଦିନ ପାଇଁ ଶେଷ କରିଦେବାକୁ ହୋଇଥିଲା ନିଷ୍ପତ୍ତି। ବିଳମ୍ବିତ ରାତିରେ ପ୍ରଜାକୋର୍ଟ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାହାରି ପଡ଼ିଥିଲେ ଗ୍ରାମବାସୀ। ତେବେ ଉତ୍ୟକ୍ତ ଲୋକଙ୍କୁ ଦେଖି ସ୍ୱାମୀ ବିସା କେରକେଟା କୌଣସି ମତେ ଜଙ୍ଗଲ ଦେଇ ଖସି ଯାଇଥିଲା ବେଳେ ରକ୍ତପିପାସୁଙ୍କ ହାବୁଡ଼ରେ ପଡ଼ିଥିଲେ ଗାଙ୍ଗି ଓ ୫ ବର୍ଷର ଶିଶୁକନ୍ୟା।
ମା’ କୁ ଘୋଷାରି ନେଇ ଏକ ଗଛ ନିକଟରେ ପିଟିପିଟି ହତ୍ୟା କରିଥିଲେ ଗ୍ରାମବାସୀ । ମା’ର ଚିତ୍କାର ଶୁଣି ଝିଅ ପଦାକୁ ବାହାରି ଆସିବାରୁ ସେ ବି’ ବାଦ ପଡିଲାନି ନର ରାକ୍ଷସଙ୍କ କବଳରୁ। ମା’ର ଶବକୁ ପଥରରେ ବାନ୍ଧି ଦେଇ ଏକ ବୋରାରେ ପୁରାଇବା ପରେ ନିକଟରେ ଥିବା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ଉଭୟଙ୍କୁ ଭସାଇ ଦିଆଯାଇଥିଲା। ଏ କଥା ସ୍ୱାମୀ ବିସା ଜାଣିବା ପରେ ହତ୍ୟାର ଶିକାର ଭୟରେ ଆତ୍ମଗୋପନ କରିଥିଲା। କୌଣସି ଉପାୟରେ ଚାନ୍ଦିପୋଷ ଥାନାରେ ଖବର ପହଁଚିବା ପରେ ପୋଲିସ ଆତ୍ମ ଗୋପନ କରିଥିବା ସ୍ୱାମୀ ବିଶାକୁ ଉଦ୍ଧାର କରି ଗାଙ୍ଗିର ଶବକୁ ଚିହ୍ନଟ କରିଥିଲା ପୋଲିସ।
ତେବେ ପ୍ରଖର ସ୍ରୋତ ଯୋଗୁଁ ଏପର୍ଯ୍ୟନ୍ତ ଝିଅର ଶବ ଉଦ୍ଧାର ହୋଇପାରିନାହିଁ। ଏହି ଘଟଣାରେ ମୋଟ ୬ ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଉ ଜଣକୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।