ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତା ମଝିରେ ଯୁବତୀଙ୍କ ଇମୋସନାଲ ଡ୍ରାମା। ଜରିମାନା ଭୟରେ ଟ୍ରାଫିକ ପୋଲିସକୁ ଦେଲେ ଆତ୍ମହତ୍ୟାର ଧମକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।

ଶନିବାରର ଘଟଣା। ଦିଲ୍ଲୀର ଏହି ଯୁବତୀ ନିଜ ସ୍କୁଟିରେ ଯାଉଥିଲା ବେଳେ କଶ୍ମୀରୀ ଗେଟ୍ ନିକଟରେ ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇଥିଲା। କାରଣ ସେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଥିଲେ। ଏଥିସହ ତାଙ୍କ ସ୍କୁଟିର ନମ୍ୱର ପ୍ଲେଟ୍ ଭାଙ୍ଗିଯାଇଥିଲା।

ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟିବା ପରେ ଯୁବତୀ ଜଣଙ୍କ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଶେଷରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଯୁବତୀ ଜୋରରେ କାନ୍ଦିବା ସହ ପିନ୍ଧିଥିବା ହେଲମେଟକୁ ମଧ୍ୟ ଫିଙ୍ଗି ଦେଇଥିଲେ। ପାଖାପାଖି ୨୦ ମିନିଟ୍ ଏହି ଡ୍ରାମା ଚାଲିବା ପରେ ଟ୍ରାଫିକ୍ ପୁଲିସ ବାଧ୍ୟ ହୋଇ ତାଙ୍କୁ ଛାଡ଼ି ଦେଇଥିଲା।

ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହା ଅନେକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ରତିଦିନ ଭିନ୍ନ ଭିନ୍ନ ସ୍ଥାନରେ ଲୋକମାନେ ମୋଟା ଅଙ୍କର ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଜରିମାନା ୬ ଲକ୍ଷରେ ପହଞ୍ଚିଛି। ଏହି ମୋଟା ଅଙ୍କ ଜରିମାନାକୁ ନେଇ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି।

Comment