ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ଥିକ ମାନ୍ଦାବସ୍ଥାରେ ବିଗତ କିଛି ଦିନ ଧରି ଦେଶ ଅର୍ଥନୀତି ଧିମା ପଡ଼ିଯାଇଥିଲା। ଯାହା ଆଜି ପୁଣି ଥରେ ମୁଣ୍ଡ ଟେକି ଛିଡ଼ା ହୋଇଛି। କର୍ପୋରେଟ୍‌ ସେକ୍ଟର ପାଇଁ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ଫଳରେ ଭାରତର ଅର୍ଥନୀତିକୁ ଏକ ବଡ଼ ଧରଣର ପ୍ରୋତ୍ସାହନ ମିଳିଛି।

ଯାହାଫଳରେ ଆଜି କାରବାର ଶେଷ ସୁଦ୍ଧା ସେନସେକ୍ସ ୧୯୨୧ ପଏଣ୍ଟ ବଢ଼ି ୩୮,୦୧୪ରେ ବନ୍ଦ ହୋଇଯାଇଥିଲା। ସେହିପରି ନିଫ୍ଟି ମଧ୍ୟ ୫୬୯ ପଏଣ୍ଟ ବଢ଼ି ୧୧,୨୭୪ରେ ବନ୍ଦ ହୋଇଥିଲା। ସେୟାର ମାର୍କେଟ୍‌ରେ ଏହି ବଡ଼ ପରିବର୍ତ୍ତନ ଯୋଗୁଁ ଆଜି ନବେଶକଙ୍କ ପାଖାପାଖି ୭ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ଯାହା ଦେଶ ଅର୍ଥନୀତି ପାଇଁ ଏକ ସବୁଜ ସଙ୍କେତ।

ସେୟାର ମାର୍କେଟ୍‌ର ଏହି ଅଗ୍ରଗତିକୁ ଇତିହାସର ସବୁଠୁ ବଡ଼ ଅଗ୍ରଗତି ବୋଲି କୁହାଯାଉଛି। ଅର୍ଥମନ୍ତ୍ରୀ ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସେୟାର ବଜାରରେ କ୍ରମାଗତ ଭାବେ ବୃଦ୍ଧି ଦେଖିବାକୁ ମିଳିଥିଲା। କାରବାର ଗୋଟେ ସମୟରେ ସେନସେକ୍ସରେ ସର୍ବାଧିକ ୨୨୫୦ ପଏଣ୍ଟ ପର୍ଯ୍ୟନ୍ତ ବଢ଼ିଯାଇଥିଲା। ଯାହା ଆଜି ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ୨୦୦୧ ମସିହା ୧୮ମେ’ରେ ସେନସେକ୍ସ ୨୧୧୦ ପଏଣ୍ଟ ରେକର୍ଡ ହୋଇଥିଲା।

ସେୟାର ବଜାରରେ ଆଜିର ଅଗ୍ରଗତି ଫଳରେ ପୁଞ୍ଜିନିବେଶକାରୀଙ୍କ ୭ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ଏହିପାଇଁ ବଜାରରେ ନିବେଶକଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଗୁରୁବାର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମାର୍କେଟ୍‌ କ୍ୟାପିଟାଲ ୧,୩୮,୫୪,୪୩୯.୪୧ ଲକ୍ଷ କୋଟି ଥିଲା। ତେବେ ଶୁକ୍ରବାର ବଜାର ବନ୍ଦ ହେବା ବେଳେ ବିଏସ୍‌ଇର ମାର୍କେଟ୍‌ କ୍ୟାପିଟାଲ ୧.୪୫,୩୭,୩୭୮.୦୧ ଲକ୍ଷ କୋଟିରେ ପହଞ୍ଚିଥିଲା। ଫଳରେ ବାଜିର କାରବାରରେ ନିବେଶକଙ୍କ ପାଖାପାଖି ୭ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି।

Comment