ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଯୁବପିଢ଼ିଙ୍କୁ ଘେରିଛି ବେଟିଙ୍ଗ ନିଶା। ମୋଟା ଅଙ୍କର ଟଙ୍କା ପାଇବା ଲୋଭରେ ପାଠପଢ଼ା ଛାଡ଼ି ଅନଲାଇନ କ୍ରିକେଟ୍‌ ବେଟିଙ୍ଗ ଆଡ଼େ ମୁହାଁଉଛନ୍ତି ଶିକ୍ଷିତ ଯୁବ ଛାତ୍ରଛାତ୍ରୀ। ଶନିବାର ବିଳମ୍ବିତ ରାତିରେ ରାୟଗଡ଼ା ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହର ସ୍ଥିତ ରାଣୀଗୁଡ଼ା ଫାର୍ମ ଅଞ୍ଚଳ ଲକ୍ଷ୍ମୀ ନାରାୟଣ ସାହିରେ ଚାଲିଥିବା ଏକ ଅନଲାଇନ କ୍ରିକେଟ ବେଟିଙ୍ଗ୍‌ ଆଡ୍ଡା ଉପରେ ଚଢ଼ଉ କରିଛି। ଏଥିରେ ସମ୍ପୃକ୍ତ ୫ଜଣ ବେଟିଙ୍ଗ ଫିକ୍ସରଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସେମାନଙ୍କଠାରୁ ନଗଦ ୩ ଲକ୍ଷ ୮୭ହଜାର ଟଙ୍କା, ୩ଟି ମଟର ସାଇକଲ, ୫ଟି ଏଟିଏମ କାର୍ଡ, ସହ ୬ଟି ମୋବାଇଲ ଓ ବେଟିଙ୍ଗ ସମ୍ପର୍କିତ ତଥ୍ୟ ଥିବା ୩ଟି ଡାଈରୀ ଜବତ କରିଛି। ଏଥିରେ ଅଧିକାଂଶ କଲେଜ ପଢ଼ୁଥିବା ଯୁବକ ରହିଛନ୍ତି। ଘଟଣାରେ ଜଡ଼ିତ ମୁଖ୍ୟ କିଙ୍ଗ ପିନ୍ ରାୟଗଡ଼ା ଅଞ୍ଚଳର କେ.ସୁରିୟା ରାଓଙ୍କ ସମେତ ସାଗର ସାହୁ, ଜ୍ୟୋତି ରଞ୍ଜନ ପଲାଇ, ସତ୍ୟବ୍ରତ ପ୍ରଧାନ ଓ ଗୁଣୁପୁର ଅଞ୍ଚଳର ପି ଈଶ୍ୱର ରାଓଙ୍କୁ ଗିରଫ କରି କୋଟ ଚାଲାଣ କରାଯାଇଛି।

ଏହି ବେଟିଙ୍ଗ ଦୀର୍ଘ ୯ ମାସ ଧରି ଗୁଗୁଲ ପେ ଓ ଫୋନ ପେ ମାଧ୍ୟମରେ  ଟଙ୍କା ଦିଆନିଆ ଚାଲିଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ ଆଉ କିଛି ଯୁବକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ରାୟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି।

Comment