ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ମଙ୍ଗଳବାର ଅପରାହ୍‌ଣ ୪.୩୫ରେ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପିଓକେରେ ବଡ଼ ଧରଣର କ୍ଷୟକ୍ଷତି ଘଟାଇଛି। ବିଭିନ୍ନ ଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତା ମଝିରୁ ଦୁଇ ପାଳ ହୋଇଯାଇଥିବା ସୂଚନ ମିଳିଛି। ଫଳରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଖବର ଆସିଛି।

ପିଓକେର ମିରପୁରଠାରେ ଭୂମିକମ୍ପର ଏହି କରାଳ ରୂପ ଦେଖିବାକୁ ମିଳିଛି। ମିରପୁରରେ ସବୁଠୁ ଅଧିକ କ୍ଷତି ଘଟିଛି।

ଝେଲମରୁ ମୀରପୁର ଯାଇଥିବା ପାଖାପାଖି ୨ କିଲୋମିଟର ରାସ୍ତା ଭୂକମ୍ପ ଫଳରେ ସମ୍ପୂର୍ଣ୍ଣ ରୂପେ ଧସି ଯାଇଛି। ସେହିପରି ସଆଲକୋଟ, ସରଗୋଧା, ମାନସେରା, ଚିତ୍ରାଲ, ମୁଲତାନ, ବାଜପୁର, ସ୍ୱାତ୍, ସାହିୱାଲ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି।

ରେକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ ମପାଯାଇଛି। ଭୂମିକମ୍ପ ପ୍ରଭାବରେ ପିଓକେର ଭୀଷଣ କ୍ଷୟକ୍ଷତି ଘଟିଥିବା ବେଳେ  ଭାରତ ଉପରେ ଏହାର ଆଂଶିକ ପ୍ରଭାବ ପଡ଼ିଛି। ଫଳରେ ଭାରତରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Comment