ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ଵାଇସ୍ଥିତ ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କ୍ (ପି ଏମ୍ ସି)ର ଗ୍ରାହକମାନଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ। ୧୯୪୯ର ବ୍ୟାଙ୍କିଙ୍ଗ୍ ନୀତିର ଧାରା ୩୫(କ) ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ପି ଏମ୍ ସି ଉପରେ ଅନେକ ରୋକ ଲଗାଇଛନ୍ତି। ଏନେଇ କେନ୍ଦ୍ରୀୟ ବ୍ୟାଙ୍କ୍‌ର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ୍ କହିଛନ୍ତି, “ଆରବିଆଇର ନିର୍ଦ୍ଦେଶ ଅନୁସାରେ ଜମାକାରୀ ତାଙ୍କର ସଞ୍ଚୟ, ଚାଲୁ ଖାତା କିମ୍ଵା ଅନ୍ୟାନ୍ୟ ଜମା ଖାତାରୁ ୧୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ।”

ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ୍‌ଠାରୁ ପୂର୍ବ ଲିଖିତ ସ୍ୱୀକୃତି ବିନା ଅର୍ବାନ୍ କୋପରେଟିଭ୍ ବ୍ୟାଙ୍କ୍ ଜମାକାରୀମାନଙ୍କୁ ରଣ କିମ୍ବା ଅଗ୍ରୀମ ରାଶି ପ୍ରଦାନ କିମ୍ଵା ନବୀକରଣ କରିପାରିବେ ନାହିଁ। ନିବେଶ, ଜମାରାଶି ଉଦ୍ଧାର କିମ୍ବା ନୂଆ ଜମାରାଶି ପାଇଁ ସ୍ୱୀକୃତି ମଧ୍ୟ ପ୍ରଦାନ କରିପାରିବେ ନାହିଁ ବୋଲି ସୂଚନା ମିଳିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଧାରିତ ଏହି ସର୍ତ୍ତ ଅନୁସାରେ ଆଜିଠାରୁ ଛ’ ମାସ ପର୍ଯ୍ୟନ୍ତ ପି ଏମ୍ ସିର ଜମାକାରୀମାନେ ସେମାନଙ୍କର କୌଣସି ପ୍ରକାରର ଜମା ଖାତାରୁ ୧୦୦୦ରୁ ଅଧିକ ରାଶି ଉଠାଇ ପାରିବେ ନାହିଁ। ଏହା ବ୍ୟତୀତ ନୂତନ ଫିକ୍ସ ଡିପୋଜିଟ ଓ ଋଣ ଉପରେ ମଧ୍ୟ ରୋକ ଲଗାଯାଇଛି। ଏଥିପାଇଁ ପି ଏମ୍ ସିର ଅନେକ ଶାଖାରେ ଜମାକାରୀଙ୍କର ଅସନ୍ତୋଷ ସୋସିଆଲ୍ ମିଡ଼ିଆରେ ପ୍ରକାଶ ପାଇଛି।

ଆରବିଆଇର ଏହି କଠୋର ନୀତିକୁ ଦେଖିଲେ ପି ଏମ୍ ସିର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବାର ଅନୁମାନ କରାଯାଉଛି। କିନ୍ତୁ ଏହି ବିଷୟରେ ଏପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ଠାରୁ କୌଣସି ସୂଚନା ମିଳିପାରିନାହିଁ।

ନିକଟରେ ଏହି ପୂରା ଘଟଣା ଉପରେ ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍ ଡି) ଜୟ ଥୋମାସଙ୍କ ଏକ ବୟାନ ପ୍ରକାଶ ପାଇଛି। ଏଥିରେ ଥୋମାସ୍ ଏହି ସବୁଥିପାଇଁ ନିଜକୁ ଦାୟୀ କରି କହିଛନ୍ତି ଯେ, “ଆରବିଆଇର ନିୟମ ଉଲଙ୍ଘନ କରିଥିବାରୁ ଆମେ ଦୁଃଖିତ ଏବଂ ଏଥିଲାଗି ଛ’ ମାସ ପର୍ଯ୍ୟନ୍ତ ପି ଏମ୍ ସିର ଜମାକାରୀମାନେ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ଛ’ ମାସ ମଧ୍ୟରେ ଏସବୁ ସମସ୍ୟାକୁ ସୁଧାରିବା ପାଇଁ ଆମେ ସୁନିଶ୍ଚିତ କରୁଛୁ।” ଶେଷରେ ସେ ସମସ୍ତ ଜମାକାରୀମାନଙ୍କୁ ଏ ପରିସ୍ଥିତିର ମୁକାବିଲା କରିବା ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Comment