ଓଡ଼ିଶାଲାଇଭ୍ ବ୍ୟୁରୋ

ଭୂମିହୀନଙ୍କୁ ଜମି ସହ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ଖାତାରେ ଯୋଜନାର ଅଭାବ ନାହିଁ। ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କରଦା ପଞ୍ଚାୟତ ଚଷାଖଣ୍ଡ ଗାଁରେ ଆଶ୍ରୟ ନେଇଥିବା ସତ୍ୟଭାମା ବାରିକଙ୍କ ପାଖରେ ଏହି ଯୋଜନା ଯେମିତି ଅପହଞ୍ଚ ହୋଇ ରହିଛି। ସତ୍ୟଭାମାଙ୍କ ପରିବାର ଭଙ୍ଗା ଘରେ ରହୁଥିଲେ ମଧ୍ୟ ସରକାରଙ୍କ ଘର ତାଙ୍କ ପାଇଁ ଯେମିତି ସାତ ସପନ ପାଲଟି ଯାଇଛି।

ନିଜର ବୋଲି ଜାଗା ନାହିଁ କି ଘର ନାହିଁ। ଅନ୍ୟ ଗାଁରୁ ବିତାଡ଼ିତ ହୋଇ ଚଷାଖଣ୍ଡ ଗାଁର ମନ୍ଦିର ପାଖରେ ଜରିପାଲ ଟାଣି ରହୁଛନ୍ତି ସତ୍ୟଭାମାଙ୍କ ପରିବାର। ୪ ବର୍ଷ ତଳେ କରିଥିବା ଏହି ଘର ଉପରେ ଯେଉଁ ଜରି ପଡ଼ିଥିଲା, ସେ ସବୁ ଫାଟିଗଲାଣି। ଘର ଆଗରେ ପାଉଁଶ ଗଦା। ଘର ପଛପଟେ ଗାଁର କେହି ମରିଗଲେ ଶୁଦ୍ଧିକ୍ରିୟା ବେଳେ ଲୋକେ ଆଟିକା ପକାଇ ଦେଇ ଯାଉଛନ୍ତି। କଡ଼ରେ ଗଡ଼ିଆ, ଆଉ ଗଡ଼ିଆକୁ ଲାଗି ସାରୁ ଓ କିଆ ବଣ। ଜୋର୍ ବର୍ଷା ହେଲେ ଘର ଭିତରେ ପାଣି ପଶି ଯାଉଛି। ଏମିତି ବି ଦିନେ ଦିନେ ରୋଷେଇ କରିବା ସମ୍ଭବ ହେଉନାହିଁ।

ସେହି ୫ ଫୁଟ ଚଉଡ଼ାର ଘର ଭିତରେ ତିନି ନାତି, ନାତୁଣୀ ଓ ବୋହୂକୁ ଧରି ରହୁଛନ୍ତି ସତ୍ୟଭାମା ବାରିକ। ଘର ପାଖ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇରେ ହେଲପର ଅଛନ୍ତି। ସେଠୁ କିଛି ଟଙ୍କା ମିଳୁଛି। ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସତ୍ୟଭାମାଙ୍କୁ ମିଳୁଛି ଚାଉଳ।  ପୁଅ କାଳନ୍ଦୀ ଭଦ୍ରକରେ ରହି ରୋଜଗାର କରୁଛି। ସେ ମାସ ଶେଷକୁ ସାଢ଼େ ୩ ହଜାର ଟଙ୍କା ପାଉଛି। ଦୁଇ ନାତୁଣୀଙ୍କ ପାଠ ପଢ଼ା ଏବଂ ୧୩ ମାସର ନାତି ରୁଦ୍ରର ରୋଗ ବଇରାଗରେ ସବୁ ଟଙ୍କା ଖର୍ଚ୍ଚ ହୋଇଯାଉଛି। ଗାଁ ଲୋକଙ୍କ ହାତ ଟେକାରେ ବେଳେ ବେଳେ ଚଳିବାକୁ ହେଉଛି। ଏଣୁ ନୂଆ ପୋଷାକ ଆଉ ପୁଷ୍ଟିକର ଖାଦ୍ୟ ସତ୍ୟଭାମାଙ୍କ ପରିବାର ପାଇଁ ସାତ ସପନ।

ଗତ ଶନିବାର ଦିନ ସତ୍ୟଭାମାଙ୍କ ବୋହୂ ମୋନାଲିସା ଗାଧୁଆବେଳ ପାଇଁ ଭାତ ରାନ୍ଧି ସାରିଥିଲେ। ତରକାରୀ ପାଇଁ ପରିବା କାଟିଥିଲେ। ହେଲେ ବର୍ଷା ହେବାରୁ ଚୁଲିରେ ପାଣି ପଶିଗଲା। ତରକାରୀ ହୋଇପାରିଲା ନାହିଁ। ପର ବାଡ଼ିରୁ କମଳା ଆଣି, ଲୁଣ ଲଙ୍କା ଦେଇ ଚକୁଡ଼ି ଦେଇ ସମସ୍ତେ ଖାଇଲେ।

ନିଜର ଜମି ନଥିବାରୁ ସରକାରୀ ଯୋଜନାରେ ଘର ବି ପାଇ ପାରୁନାହାନ୍ତି। ଏନେଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ, ସତ୍ୟଭାମାଙ୍କୁ ଜାଗା ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜାଗା ମିଳିବା ପରେ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ ଦୁର୍ଗା ଚରଣ ମୁର୍ମୁ।

ହେଲେ କେବେ ପ୍ରଶାସନ ଜାଗା ଓ ଘର ଯୋଗାଇ ଦେବେ ତାକୁ ଚାହିଁ ରହିଛନ୍ତି ସତ୍ୟଭାମା।

Comment