ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

 ଓଡ଼ିଆ ଓଡ଼ିଶା (୧୫)

ପ୍ରକୃତିରେ ତିନିଗୁଣ ଅଛି ବୋଲି କହିବା ଏକ ବୈଜ୍ଞାନିକ ଦୃଷ୍ଟିକୋଣ। ଆମର ସମସ୍ତ ଢଙ୍ଗରଙ୍ଗକୁ ତିନୋଟି ଗୁଣରେ ରୂପାୟିତ କରି ସେମାନଙ୍କ ଜରିଆରେ ଆମର ଭାବକୁ ବୁଝିବା ବହୁକାଳର ପାଠ ହୋଇପାରେ। ଏହାର ଇତିହାସ ଆମକୁ ଜଣାନାହିଁ। ତେବେ ଏ’ ଗୁଣ ମଣିଷ ଭିତରେ ପହଞ୍ଚେ କିପରି? ଏ’ ପ୍ରଶ୍ନରୁ ଆବିଷ୍କାର ହେଲା ଯେ’ ସଂଜ୍ଞାହୀନ ଲୋକର ମନରେ ଶକ୍ତି ନାହିଁ।  ତେଣୁ ମନକୁ ଶରୀରଠାରୁ ଅଲଗା କରା ହେଲା।  ଶରୀରଧାରଣ, ନିଃଶ୍ଵାସପ୍ରଶ୍ଵାସ, ରକ୍ତ ସଞ୍ଚାଳନ ଶକ୍ତି ମନଠାରୁ ପୃଥକ୍। ସେମାନେ ମନୁଷ୍ୟର ଦୈହିକ ଶକ୍ତି, ମନୁଷ୍ୟର ପ୍ରାଣ ସହ ଜଡିତ। ଏ’ ଦୈହିକ ଶକ୍ତି ଛଡା ମନୁଷ୍ୟର ମାନସିକ ଶକ୍ତି ଅଛି ବୋଲି ଜଣାପଡ଼ିଲା। ଏହି ମାନସିକ ଶକ୍ତି ପ୍ରକୃତି ଦ୍ଵାରା ପରିଚାଳିତ ହୁଏ ବୋଲି ମତ ହେଲା।

ଯେପରି ଦୈହିକ ଶକ୍ତିରୁ ଦେହରେ ପ୍ରାଣ ରହେ, ସେହିପରି ମାନସିକ ଶକ୍ତିରୁ ମସ୍ତିଷ୍କରେ ଜ୍ଞାନ ରହେ। ଜ୍ଞାନ ହେଉଛି ସଂସାର ସଂପର୍କରେ ଆମର ଅଭିଜ୍ଞତା। ଏ’ ଅଭିଜ୍ଞତା ସୃଷ୍ଟି କରିବାକୁ ମଣିଷକୁ ପାଞ୍ଚୋଟି ଇନ୍ଦ୍ରିୟ ଦିଆଯାଇଅଛି – ଶୁଣିବା ପାଇଁ କାନ, ଦେଖିବା ପାଇଁ ଆଖି, ଚାଖିବା ପାଇଁ ଜିଭ, ଶୁଂଘିବା ପାଇଁ ନାକ ଓ ଛୁଇଁବା ପାଇଁ ଚମ। ଏ ପାଞ୍ଚୋଟି ଇନ୍ଦ୍ରିୟ ମାଧ୍ୟମରେ ଆମେ ସଂସାରକୁ ନିରୂପଣ କରୁ ଏବଂ କାର୍ଯ୍ୟ ନିର୍ଦ୍ଧାରଣ କରୁ। ତେବେ ଗୋଟିଏ ବସ୍ତୁକୁ ବିଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାରେ ବୁଝନ୍ତି । ଏ’ ପ୍ରକାର ବିଭିନ୍ନତା ମୂଳରେ ହେଲା ପ୍ରକୃତିର ଗୁଣ।

ଅନ୍ୟ ବସ୍ତୁକୁ ଆମେ ଇନ୍ଦ୍ରିୟ ଜରିଆରେ ବୁଝୁ। ସବୁ ବସ୍ତୁର ସ୍ଵକୀୟ ଜ୍ଞାନ ଅଛି, ତା’ର ଜୀବନରେ ତାର ଆନ୍ତରିକତା ଅଛି। କିନ୍ତୁ ଆମେ ସେ’ ବସ୍ତୁକୁ ନିରୂପଣ କଲା ବେଳେ ଆମ ପ୍ରତି ବସ୍ତୁର ଉପଯୋଗିତା କଥା ଭାବୁ। ଯେଉଁ ବସ୍ତୁ ଆମକୁ ହିତ ହେବ, ତା’କୁ ଆମେ ‘ଭଲ’ ବୋଲି କହୁ ଏବଂ ଯେଉଁ ବସ୍ତୁ ଆମକୁ ଅସୁବିଧା କରିପାରେ, ଆମେ ତାକୁ ‘ମନ୍ଦ’ ବୋଲି କହୁ।

ଆପଣା ମତ ଅନୁଯାୟୀ ବସ୍ତୁର ମୂଲ୍ୟ ନିରୂପଣ କରି ବସ୍ତୁମାନଙ୍କ ମଧ୍ୟରେ ବୈଷମ୍ୟ ସୃଷ୍ଟି କରିବା ପ୍ରକୃତିର ଲକ୍ଷଣ। ଇନ୍ଦ୍ରିୟ ଶକ୍ତି ମାଧ୍ୟମରେ ଏ ବୈଷମ୍ୟ ଆମେ ଆମର ମନରେ ତିଆରି କରିଥାଉ। ଆମର ଲୋଭ, ହିଂସା, ଈର୍ଷା, କ୍ରୋଧ ଓ ପ୍ରେମ ଏ ବୈଷମ୍ୟ ସହ ଜଡିତ।  କିଛି ଲୋକ ଆମର ମିତ୍ର ଏବଂ ଆଉ କିଛି ଲୋକ ଆମର ଶତ୍ରୁ – ବା କିଛି ପଦାର୍ଥ ଆମକୁ ହିତକର ଓ ଅନ୍ୟ ପଦାର୍ଥ ଅହିତକର। ଏହା ଆପଣା ଦ୍ଵାରା ତିଆରି ଆପଣାର ନିଜସ୍ଵ ମାନସିକତା। କିଛି ମାନସିକତା ଜନ୍ମଗତ ଓ ଆଉ କିଛି ମାନସିକତା ଆମେ ନିଜର ଅଭିଜ୍ଞତାରୁ ତିଆରି କରୁ।

ଇନ୍ଦ୍ରିୟମାନଙ୍କର ଶକ୍ତିର ପ୍ରଖରତାରେ ବୈଷମ୍ୟ ମନୁଷ୍ୟମାନଙ୍କର ଶରୀରଗତ, କିନ୍ତୁ ଶାରୀରିକ ଶକ୍ତି ପ୍ରୟୋଗ କରି ଜ୍ଞାନ ଆହରଣରେ ବୈଷମ୍ୟ ପ୍ରକୃତିର ପ୍ରଭାବ ବୋଲି ମତ ଦିଆଯାଉଅଛି।  ସ୍ଵଭାବତଃ ମନୁଷ୍ୟ ସଂସାରରେ ପ୍ରାଣ ରକ୍ଷା ନିମନ୍ତେ ଭୟାତୁର ହୋଇ ନିଜର ଇନ୍ଦ୍ରିୟଗତ ଜ୍ଞାନ ଉପରେ ଆପଣାର ନିଜ ଛାପ ପକାଏ। ଏହି ଛାପରେ ଆପଣାର ଅହଙ୍କାର, ମାନ, ଓ ସ୍ଵକଳ୍ପିତ ସୁଖ ଲୁଚି କରି ଥାଏ।

ଅନ୍ୟ ବସ୍ତୁକୁ ନୈସର୍ଗିକ ବୋଲି ଗ୍ରହଣ ନ କରି ତା’ ଉପରେ ମୂଲ୍ୟ ଆରୋପ କରିବା ଏହି ପ୍ରକୃତି ଶକ୍ତିର ଲକ୍ଷଣ। ଏହା ଫଳରେ ଆମେ ସମାଜର ସବୁ ମନୁଷ୍ୟଙ୍କୁ ବା ସବୁ ପ୍ରାଣୀଙ୍କୁ ଆପଣା ପରି ମନେ କରିବାର ପ୍ରବୃତ୍ତିକୁ ଅବରୋଧ କରି ନିଜର ଜାତି, କୁଳ, ବର୍ଣ୍ଣ ସୃଷ୍ଟି କରୁ। ସଂସାରରେ ସମଭାବ ସମ୍ପନ୍ନ ହୋଇ ସହାନୁଭୂତିରେ ଚଳିବା ପରିବର୍ତ୍ତେ ଆମେ ଦଳ, ଗୋଷ୍ଠୀ ଓ ସମ୍ପ୍ରଦାୟ ସୃଷ୍ଟି କରୁ। ଏ ପ୍ରକାର ବିଚାର ବହୁକାଳ ପୂର୍ବେ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ହୋଇଥିବାର ଅନୁମାନ କରାଯାଏ। ଏହି ବିଚାରକୁ ପରକାଳରେ “ଜୈନଦର୍ଶନ” ବୋଲି ନାମ ଦିଆଯାଇଅଛି।

ଏ ଦର୍ଶନର ମୂଳତତ୍ତ୍ଵ ହେଲା ଯେ, ବସ୍ତୁଜ୍ଞାନ ପାଇବା ନିମନ୍ତେ ଆମକୁ ଇନ୍ଦ୍ରିୟଗତ ଜ୍ଞାନକୁ ଅତିକ୍ରମ କରିବାକୁ ହେବ। ଇନ୍ଦ୍ରିୟ ସଂଯମ ଏହି ଦର୍ଶନର ବିଶେଷ ଶିକ୍ଷା।  ମନୁଷ୍ୟର ମନ ଭୟାକ୍ରାନ୍ତ ହୋଇ ଅନ୍ୟ ବସ୍ତୁ, ପ୍ରାଣୀ ବା ଜନ୍ତୁ ସହ ହିଂସା ଆଚରଣ କରିପାରେ – ଅନ୍ୟକୁ ଆକ୍ରମଣ କରିବା, ଅଧିକାର କରିବା ବା ଅନ୍ୟକୁ ଆପଣା ପାଇଁ ବ୍ୟବହାର କରିବା ମନୁଷ୍ୟ ପକ୍ଷରେ ହିଂସା ଆଚରଣ ବୋଲି ଏ ଦର୍ଶନର ମତ। ତେଣୁ ପୃଥିବୀ ପରିବେଶକୁ ନଷ୍ଟ ନ କରି ସାଇତି ରଖିବା ଆମର ଜୀବନ ଧାରଣ ପ୍ରଣାଳୀ ବୋଲି ଏ’ ଦର୍ଶନର ମତ।

ଆମର ପାଣି, ମାଟି, ପବନ, ଗଛ, ଲତା, ଫଳ, ଫୁଲ, ଜୀବଜନ୍ତୁ, କୀଟପତଙ୍ଗ – ସମସ୍ତେ ଆମ ନିଜ ବିଶ୍ୱର ଅଙ୍ଗ। ଆମ ପରି ଏମାନଙ୍କଠାରେ ମଧ୍ୟ ପ୍ରାଣ ଅଛି – ସବୁ ପ୍ରାଣ ସମାନ।  ସଂସାରର ସବୁ ବସ୍ତୁକୁ ସମ୍ମାନ ଜ୍ଞାନରେ ସମାନ ବୋଧ କରିବା ଜୈନସଂସ୍କୃତିର ମୂଳଦୁଆ।

Comment