ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରକୁ ବଢ଼ିବ ଘରୋଇ ବିମାନ ସେବା। ଆସନ୍ତା ଅକ୍ଟୋବର ୨୭ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଳୁରୁକୁ ଦୁଇଟି ନୂଆ ଏୟାର ଏସିଆ ବିମାନ ଚଳାଚଳ ହେବ। ସେହିପରି ହାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏଁ ନୂଆ ବିମାନ ଚଳାଚଳ ହେବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ଏହି ଚାରୋଟି ବିମାନ ଉଡ଼ିବା ଫଳରେ ବିମାନବନ୍ଦରରେ ବିମାନ ଚଳାଚଳ ସଂଖ୍ୟ ଦିନକୁ ୪୭ରେ ପହଞ୍ଚିଯାଇଛି। ପୂର୍ବରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାଙ୍ଗାଲୋରକୁ ୬ଟି ବିମାନ ଚଳାଚଳ କରୁଥିଲା। ଯାହା ଏବେ ବୃଦ୍ଧି ପାଇ ୮ରେ ପହଞ୍ଚିଯାଇଛି।

ସେହିପରି ପୂର୍ବରୁ କୋଲକାତାକୁ ଗୋଟିଏ ଦିନରେ ୭ଟି ବିମାନ ଓ ହାଇଦ୍ରାବାଦକୁ ୬ଟି ବିମାନ ଚଳାଚଳ କରୁଥିଲା। ଏହି ନୂଆ ବିମାନ ଚଳାଚଳ କରିବା ପରେ ବର୍ତ୍ତମାନ କୋଲକାତାକୁ ୮ଟି ଓ ହାଇଦ୍ରାବାଦକୁ ୭ଟି ବିମାନ ଚଳାଚଳ କରିବ।

ଅନ୍ୟପକ୍ଷରେ ବିମାନବନ୍ଦର ପକ୍ଷରୁ ଏୟାର ଏସିଆ ବିମାନ ଉଡାଣ ସମୟରେ ପରିବର୍ତ୍ତନ କରାଯାଇଛି। ରନ୍‌ୱେ କାମ ଚାଲିଥିବାରୁ ରାତିରେ ଏୟାରପୋର୍ଟକୁ ବନ୍ଦ ରଖାଯାଉଛି। ତେଣୁ ରାତି ୯ଟାରେ କୁଆଲାଲାମ୍‌ପୁର-ଭୁବନେଶ୍ୱର ବିମାନ ଏୟାରପୋର୍ଟରେ ପହଞ୍ଚିବ। ପୂର୍ବରୁ ଏହି ବିମାନ ରାତି ୧୧ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚୁଥିଲା। ସେହିପରି ୯ଟା ୩୦ରେ ଭୁବନେଶ୍ୱରରୁ କୁଆଲାଲମପୁରକୁ ବିମାନ ଯାତ୍ରା କରିବ।

Comment