ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ତମ ବିଶ୍ୱ କବି ସମ୍ମିଳନୀର ଚତୁର୍ଥ ଦିନରେ ପୁରୀଠାରେ ଅନୁଷ୍ଠିତ ହୋଇଥିଲା ଆଧ୍ୟାତ୍ମିକ କବିତା ଅଧିବେଶନ। ଏହାକୁ ଉଦ୍ଘାଟନ କରିଥିଲେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ।
‘‘ମୁଁ କବିମାନଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଥିବା ଲକ୍ଷ୍ୟ କରୁଛି। ଭାରତ ସ୍ୱୟଂ ଏକ କବିତା। ଭାରତ ଭଳି କବିତା ଅନ୍ୟ କୌଣସି ଭୂଖଣ୍ଡ କିମ୍ବା ସଭ୍ୟତାରେ ଦେଖିବାକୁ ମିଳେନାହିଁ। ଭାରତର ପ୍ରତ୍ୟେକ ନଦୀ, ଦେବାଦେବୀ, ବଣ, ପାହାଡ. ପର୍ବତ, ଝରଣା ଆଦି ପ୍ରତ୍ୟେକ ଗୋଟିଏ ଗୋଟିଏ କବିତା। ଏ ସବୁ ହେଉଛି କବିତାର ଗୋଟିଏ ଲେଖାଏଁ ସ୍ୱରୂପ’’, କହିଥିଲେ ହୃଦୟ ନାରାୟଣ ଦୀକ୍ଷିତ।
ସେ ଆହୁରି କହିଥିଲେ ଯେ ଉତ୍ତର ଭାରତ ଭଳି ଓଡ଼ିଶା ମଧ୍ୟ ଏକ ସୁନ୍ଦର ପ୍ରଦେଶ। ଉତ୍କଳ ମଧ୍ୟ ଏକ କବିତା। ବିଶ୍ୱର ପ୍ରାଚୀନତମ କବିତା ହେଉଛି ଋଗ୍ବେଦ। କବିତାର ସ୍ରୋତ କଣ, ଋଗ୍ବେଦରେ ଉଲ୍ଲେଖ ରହିଛି। ପରମବ୍ରହ୍ମରେ ମଧ୍ୟ କବିତା ରହିଛି। କବିତା ଯେଉଁଠି, ଦେବତା ସେଇଠି। ଆଧ୍ୟାତ୍ମିକ କବିତା ହେଉଛି ବ୍ରହ୍ମ ଓ ପରମବ୍ରହ୍ମ ମଧ୍ୟରେ ସଂପର୍କ।
ଭାରତରେ ବହୁ ପ୍ରାଚୀନ କବିତା ରହିଛି। ଭାରତରେ ୫ଶହରୁ ଅଧିକ ପ୍ରାଚୀନତମ କବି ରହିଛନ୍ତି। ଆଧ୍ୟାତ୍ମିକ କବିତା ଆମ ଜୀବନକୁ ମାର୍ଗ ଦର୍ଶନ କରିଥାଏ। ଅନ୍ୟ ଦେଶରେ କବିତା ଆନନ୍ଦ ଓ ଖୁସି ପାଇଁ ଲେଖାଯାଇଥାଏ। କିନ୍ତୁ ଭାରତରେ କବିତାର ଗୋଟିଏ ଗୋଟିଏ ଛନ୍ଦ ଆମ ଜୀବନ ପାଇଁ ମୂଲ୍ୟବାନ ଅଟେ ବୋଲି ଶ୍ରୀ ଦୀକ୍ଷିତ କହିଥିଲେ।
ଅନ୍ୟତମ ବକ୍ତା ହାଇଦ୍ରାବାଦସ୍ଥିତ ଇଂରାଜୀ ଓ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଦିଲିପ ନାୟକ ‘କବିତା କ’ଣ କରେ’ (ହ୍ୱାଟ୍ ଡଜ୍ ପୋଏଟ୍ରି ମେକ୍) ଶୀର୍ଷକ ବିଷୟ ଉପରେ ଅଭିଭାଷଣ ଦେଇଥିଲେ।
ସେ ବିଶ୍ୱର ବିଶିଷ୍ଟ କବି ଓସିପ୍ ମାଣ୍ଡେଲସ୍ତମ୍, ଆଡ୍ରୋନୋ, ଅଦେନଙ୍କ ଭଳି ଅନେକ କବିଙ୍କ ଏହା ଉପରେ ଥିବା ମତାମତ ଉଲ୍ଲେଖ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ କବି ସମ୍ମିଳନୀର ସଭାପତି ଡକ୍ଟର ମାଉରସ ୟଙ୍ଗ, ୱାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟ୍ସ ଆଣ୍ଡ କଲ୍ଚର୍ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସାଧାରଣ ସଂପାଦିକ ଡକ୍ଟର ମାରିଆ ଇଉଜେନିଆ ସୋବେରାନିସ୍ ଏବଂ ବିଶିଷ୍ଟ କବି ଓ ଲେଖକ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।