ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ନାମୀ ଅଟୋମୋବାଲ କମ୍ପାନି ଟାଟା ମୋଟର୍ସ ଟିଗୋର କାର୍‌ର ଏକ ନୂଆ ଭାରିଏଣ୍ଟ ବଜାରକୁ ଛାଡ଼ିଛି। ଏହା ହେଉଛି ଟାଟାର ନୂଆ ଇଲେକ୍ଟ୍ରିକ୍‌ କାର୍‌। ଯାହାର ନାଁ ରହିଛି ‘ଟିଗୋର ଇଭି’। ଏହି ଇଲେକ୍ଟ୍ରିକ୍‌ କାର୍‌କୁ ଥରେ ଚାର୍ଜ କଲେ ପ୍ରାୟ ୨୧୩ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବାର କ୍ଷମତା ରଖିଛି। ବୁଧବାର ଟାଟା ମୋଟର୍ସ ପକ୍ଷରୁ ‘ଟିଗୋର ଇଭି’କୁ ଭାରତରେ ଲଞ୍ଚ୍‌ କରାଯାଇଛି।

‘ଟିଗୋର ଇଭି’ କା‌ର ମୂଲ୍ୟ ୯.୪୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି କାର୍‌ରେ ୨୧.୫ କିଲୋୱାଟ୍ ଆୱାର ବ୍ୟାଟେରୀ ଦିଆଯାଇଛି। ଯାହା ଦୁଇଟି ଚାର୍ଜିଂ ସିଷ୍ଟମରେ କାମ କରିବ। ଏଥିରେ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ରେଗୁଲାର ଚାର୍ଜିଂ ସୁବିଧା ମଧ୍ୟ ରହିଛି। ଫାଷ୍ଟ ଚାର୍ଜିଂରେ ମାତ୍ର ଦେଢ଼ ଘଣ୍ଟାରେ ୮୦ ପ୍ରତିଶତ ବ୍ୟାଟେରୀ ଚାର୍ଜିଂ ହୋଇପାରିବ। ସେହିପରି ରେଗୁଲାରରେ ୮୦ ପ୍ରତିଶତ ଚାର୍ଜି ପାଇଁ ପାଖାପାଖି ୬ ଘଣ୍ଟା ଲାଗିବ।

କମ୍ପାନି ‘ଟିଗୋର ଇଭି’ର ତିନୋଟି ଭାରିଏଣ୍ଟ(XE+, XM+ ଏବଂ XT+) ବଜାରକୁ ଛାଡ଼ିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନି ଏହି ଇଲେକ୍ଟ୍ରିକ୍‌ କାର୍‌ରେ ଡୁଅଲ ଏୟାର ବ୍ୟାଗ୍‌ ଏବଂ ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ ଦିଆଯାଇଛି। ତେବେ ଟିଗୋର XE+ ଭାରିଏଣ୍ଟରେ କେବଳ ଡ୍ରାଇଭର ପାଇଁ ଏୟାର ବ୍ୟାଗ୍‌ ରହିଛି।

Comment