ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କାଠଯୋଡି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ସନ୍ଧାନକୁ ନେଇ କିଛି ଦିନ ଧରି ଚାଲିଥିବା ଘଣ୍ଟାଚକଟାର ଆଜି ଅବସାନ ଘଟିଛି। ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା ଅଧୀନ ରହମ୍ୱା ଗ୍ରାମସ୍ଥିତ ଦେବୀ ନଦୀ ଘାଟରରୁ ମିଳିଛି। ପୋଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଗୋବିନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଗତ ୯ତାରିଖରେ ନିଆଳି କରଞ୍ଜ ଗ୍ରାମର ଦେବବ୍ରତ ମହାପାତ୍ର(୩୫) ଦଶହରା ଦେଖାଇବା ପାଇଁ ସ୍ତ୍ରୀ ଓ ୪ ବର୍ଷର ଶିଶୁପୁତ୍ରକୁ ବାଇକରେ ନେଇ ଯାଜପୁର ଯାଇଥିଲେ। ବୁଧବାର ଅପରାହ୍ଣ ଘରକୁ ଫେରିବା ସମୟରେ କାଠଯୋଡ଼ି ନଦୀ ପୋଲରେ ଅଟକି ହଠାତ ନଦୀକୁ ଡେଇଁ ପଡ଼ିଥିଲେ। ଅକାତକାତ ପାଣି ଭିତରେ ସ୍ୱାମୀ ବୁଡ଼ିଯାଉଥିବା ଦେଖି ପତ୍ନୀ ନିଜେ ପିଲା ସହ ନଦୀକୁ ଡେଇଁପଡ଼ି ପ୍ରାଣ ହରାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ କାର ଚାଳକ ଓ ଆଉ କିଛି ଯାତ୍ରୀ ତାଙ୍କୁ କାବୁ କରିନେଇଥିଲେ।

ଫଳରେ ମା’ ଛୁଆ ଦୁଇ ଜଣଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା। କିନ୍ତୁ ଦେବବ୍ରତଙ୍କ କୌଣସି ସନ୍ଧାନ ମିଳିନଥିଲା। ସଦର ଥାନା ପୋଲିସ ଓଡ୍ରାଫ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଦେବବ୍ରତଙ୍କ ପତ୍ତା ପାଇନଥିଲେ। ପରେ ଏହାକୁ ନେଇ ସସ୍ପେନ୍ସ ଲାଗି ରହିଥିଲା।

ଦେବବ୍ରତଙ୍କ ସନ୍ଧାନ ମିଳିପାରିନଥିବାରୁ ପରିବାର ଲୋକେ ଆଶଙ୍କାରେ ଥିଲେ। ନଦୀକୁ ଡେଇଁବାର ୬ଦିନ ପର୍ଯ୍ୟନ୍ତ ଦେବବ୍ରତଙ୍କ ପତ୍ତା ମିଳିପାରିନଥିବାରୁ ସେ ବଞ୍ଚିଥାଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। କିନ୍ତୁ ଆଜି ସକାଳୁ ରହମ୍ୱା ଗ୍ରାମସ୍ଥିତ ଦେବୀ ନଦୀ ଘାଟରେ ଏକ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଶବର ତଲାସି କରାଯିବା ସମୟରେ ତା’ ପ୍ୟାଣ୍ଟ ପକଟେରୁ ଗାଡି ରେଜିଷ୍ଟ୍ରେସନ୍ କାର୍ଡ, ଟାଟା ଷ୍ଟିଲ୍ କର୍ମଚାରୀ ପରିଚୟ ପତ୍ର ଆଦି ପୋଲିସକୁ ମିଳିଥିଲା। ମିଳିଥିବା ତଥ୍ୟ ଆଧାରରେ ମୃତଦେହ ଦେବବ୍ରତଙ୍କର ବୋଲି ଗୋବିନ୍ଦପୁର ପୋଲିସ ସ୍ପଷ୍ଟ କରିଛି।

Comment