ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଜାରେ ବର୍ଷର ସହର କଟକରୁ ଭିକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଯୋଜନା କରାଯାଇଥିଲା ତାହା ସଫଳ ହୋଇପାରିନାହିଁ। ଅଢ଼େଇ ବର୍ଷ ତଳେ ମହା ଆଡମ୍ବରରେ ଏହି ଥଇଥାନ ପ୍ୟାକେଜ ଘୋଷଣା କରାଯାଇଥିଲା। କିନ୍ତୁ ତାହା ଏଯାଏଁ ଅକାମୀ ହୋଇପଡ଼ିଛି। ଆଜି ବି କଟକ ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ଶହ ଶହ ଭିକାରୀ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳେ।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପାଇବା ପରେ କଟକ ଜିଲ୍ଲା ପ୍ରଶାସନ ଭିକାରୀଙ୍କ ଥଇଥାନ ନିମନ୍ତେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହା ୨୦୧୭ର କଥା। ସେହି ସମୟରେ ଏକ ସର୍ଭେ ବି କରାଯାଇଥିଲା। ୧୪ଟି ବ୍ଲକ ଓ ୪ଟି ମ୍ୟୁନିସିପାଲିଟି/ଏନଏସିରେ ଏହି ସର୍ଭେ ହୋଇଥିଲା। ଯେହେତୁ ସହରାଞ୍ଚଳରେ ଭିକାରୀ ଅଧିକ ପରିମାଣରେ ବସବାସ କରନ୍ତି ସେହି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ କଟକ ରେଳ ଷ୍ଟେସନ, ବାଦାମବାଡି ବସଷ୍ଟାଣ୍ଡ, ଚଣ୍ଡୀ ମନ୍ଦିର, ଚୌଦ୍ୱାର ମ୍ୟୁନିସିପାଲିଟି, ଆଠଗଡ଼ ଓ ବାଙ୍କୀ ଏନଏସିରେ ରହୁଥିବା ଭିକାରୀମାନଙ୍କୁ ଥଇଥାନ କରାଯାଇଥାନ୍ତା। ଏହି ସର୍ଭେ ପାଇଁ ୭୦ ସ୍ୱେଚ୍ଛାସେବୀ, ଗୋଷ୍ଠୀ ଉନ୍ନୟନ ସଂସ୍ଥା, ଅଙ୍ଗନବାଡି କର୍ମୀ  ଓ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ଯୋଜନା ପ୍ରସ୍ତୁତ ହୋଇଥିଲା ଯେ ଭିକାରୀମାନଙ୍କୁ ଥଇଥାନ କରିବା ବେଳେ ସେମାନଙ୍କୁ ଏହି ବୃତ୍ତିରୁ ଓହରି ଆସିବା ପାଇଁ ପରାମର୍ଶ ଦିଆଯିବ। ତାଛଡ଼ା ସେମାନଙ୍କ ସାମର୍ଥ୍ୟ ଅନୁସାରେ ବିଭିନ୍ନ କାମରେ ସେମାନଙ୍କୁ ଲଗାଯାଇଥାନ୍ତା। ଭିକାରୀ ପରିବାରର ପିଲାଙ୍କୁ ପାଠ ପଢାଇବା ଓ ଯୁବକମାନଙ୍କୁ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଇଥାନ୍ତା। ତେବେ ଏହି ଯୋଜନା ବିଷୟରେ ଆଉ କିଛି ଶୁଣାଯାଉନାହିଁ ବୋଲି କିଛି ଭିକାରୀ କହିଛନ୍ତି।

‘‘ଦୁଇ ବର୍ଷ ତଳେ ଆମ ପାଖକୁ ଆସି ସବୁ କଥା ଟିପି ନେଇଥିଲେ। କିନ୍ତୁ ଆମ ପାଇଁ କଣ କରାଯିବ ସେ ବିଷୟରେ ଆଉ କିଛି ଖବର ନାହିଁ’’, ବୋଲି ଚଣ୍ଡୀ ମନ୍ଦିର ପାଖରେ ବସୁଥିବା ଆଉ କିଛି ଭିକାରୀ କ୍ଷୋଭ ପ୍ରକାଶ କରିଛନ୍ତି।

ଅନ୍ୟ ଏକ ସର୍ଭେରୁ ଜଣାପଡିଛି ଯେ ଓଡ଼ିଶାରେ ମୋଟ ୬ ହଜାର ୩୯୦ ଜଣ ଭିକାରୀ ଅଛନ୍ତି। ଏହି ତାଲିକାରେ କଟକ ସବା ଆଗରେ(୧୦୬୦), ତା’ ପଛକୁ ବଲାଙ୍ଗୀର(୭୦୮), ମୟୂରଭଞ୍ଜ(୪୮୫), ସୁନ୍ଦରଗଡ(୪୬୭) ଓ ଗଞ୍ଜାମ ଜିଲ୍ଲାରେ ୪୫୮ ଭିକାରୀ ରହୁଛନ୍ତି। କେବଳ ଦେବଗଡ଼ ଜିଲ୍ଲାରେ ଏମାନଙ୍କ ସଂଖ୍ୟା କମ – ମାତ୍ର ୧୬ ଜଣ।

Comment