ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୪ ମାସ ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣି ଗଣମାଧ୍ୟମର ଶିରୋନାମାରେ ରହିଛନ୍ତି। ୪ ମାସ ତଳେ ନୂଆଦିଲ୍ଲୀରେ ପଦ୍ମ ଧରିଥିବା ଦାମଙ୍କୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ଆଜି ପଦ୍ମ ଛାଡ଼ିବାକୁ ନେଇ ସେତିକି ଚର୍ଚ୍ଚା ହେଉଛି। ବିଜୁ ଜନତା ଦଳକୁ ଚେକ ଦେବା ପାଇଁ ଯେଉଁ ଦାମ ବିଜେପି ଯାଇଥିଲେ ସେ କାହିଁକି ଦଳ ଛାଡ଼ିଲେ ତାକୁ ନେଇ ରାଜନୀତି କରିଡରରେ କାରଣ ଖୋଜା ଚାଲିଛି। ଏବେ ଦାମ ଅନ୍ୟ କେଉଁ ଦଳରେ ମିଶିବେ ନା ଏକୁଟିଆ ଲୋକଙ୍କ ସହ ଯୋଡ଼ି ହୋଇ ରହିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେପି ଆସିବା ପରେ ଦାମ ୨୦୧୯ ନିର୍ବାଚନରେ ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହୋଇଥିଲେ ହେଲେ ନିଜ ରାଜନୀତିକ କ୍ୟାରିଅରର ଦୀର୍ଘ ବର୍ଷ ପରେ ଦାମଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏହାପରଠୁ ତାଙ୍କୁ ବିଜେପିରେ କୋଣଠେସା କରାଯାଇଥିବା ଦାମ ନିଜେ ଅଭିଯୋଗ କରିଥିଲେ। ବିଜେପି ତାଙ୍କୁ ପଚାରୁ ନଥିବା ଅଭିଯୋଗ ଆଣି ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏବେ ଦାମ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପୁର ଉପନିର୍ବାଚନକୁ ନେଇ ବିଜେପି କମର କଷୁଥିବା ବେଳେ ଦାମଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟକା ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି।

ଦାମଙ୍କ ରାଜନୀତିକ ଇନିଂସ

୧୯୭୭ରୁ ଦାମ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ବିଜୁ ବାବୁଙ୍କୁ ରାଜନୀତି ଗୁରୁ ଭାବେ ଗ୍ରହଣ କରି ସେ ଜଗତସିଂହପୁର ଏରସମା ଅଞ୍ଚଳରୁ ନିର୍ବାଚନ ଲଢ଼ିଲେ। ୨୦୦୪ ପର୍ଯନ୍ତ ସେ ଏରସମାବାସୀଙ୍କ ସୁଖଦୁଃଖର ସାଥୀ ଥିଲେ। ହେଲେ ୨୦୦୯ରେ ଏରସମା ନିର୍ବାଚନମଣ୍ଡଳୀଟି ଅନସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇ ଯିବାରୁ ଦାମ ନବ ଗଠିତ ପାରାଦୀପରେ ଡେରା ପକାଇଲେ।

ପାରାଦୀପରେ ଦାମ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ପାରାଦୀପବାସୀଙ୍କୁ ଏକାଠି କରି ବିଜୁ ବାବୁଙ୍କ ଗୌରବ ଗାଥାରେ ବିମୋହିତ କରି ସେ ଭୋଟ ସାଉଁଟିଥିଲେ। ବିଜୁ ବାବୁଙ୍କ ସମୟରେ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ହୋଇ ଦାମ ପଞ୍ଚାୟତ ପାଇଁ ଉଲ୍ଲେଖନୀୟ ବ୍ୟବସ୍ଥା କରିଥିଲେ। ଏଣୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବି ଦାମ ମନ୍ତ୍ରୀ ହେଲେ। ୪୫ ବର୍ଷ ଭିତରେ ଦାମ ୩୫ ବର୍ଷ ବିଧାୟକ ଏବଂ ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି।

ବିବାଦ ଓ ଦାମ

ଲମ୍ବା ରାଜନୀତିକ କ୍ୟାରିୟର ଭିତରେ ଦାମ ଯେତିକି ସଫଳତା ହାସଲ କରିଛନ୍ତି, ବିବାଦ ମଧ୍ୟ ସେତିକି ରହିଛି। ଏହି ବିବାଦ ପାଇଁ ଦାମ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନବୀନଙ୍କ ତୃତୀୟ ପାଳିର ସରକାର ଅମଳରେ ଦାମ ଚର୍ଚ୍ଚାରେ ରହିଥିଲେ ପ୍ୟାରୀମୋହନ ମହାପାତ୍ରଙ୍କୁ ସେତେବେଳେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିଲା। କିନ୍ତୁ ଦାମ ଏହାକୁ ଗ୍ରହଣ କରି ନଥିଲେ। ପ୍ୟାରୀଙ୍କୁ ସେ ସିଧା ଟାର୍ଗେଟ କରୁଥିଲେ ଫଳରେ ଦାମଙ୍କୁ ମନ୍ତ୍ରୀ ପଦ ବି ହରାଇବାକୁ ପଡ଼ିଥିଲା।

ମନ୍ତ୍ରୀ ପଦ ହରାଇବା ପରେ ଦାମ ୨୦୧୧ ଅକ୍ଟୋବର ୧୧ରେ ଦାମ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ। ବିଜେଡିରେ ବିଜୁଙ୍କ ଆଦର୍ଶ ହଜି ଯାଇଥିବା ଅଭିଯୋଗ ଆଣି ଦାମ ଏହି ମଞ୍ଚ ଗଠନ କରି ବିଜୁ ଲିଗାସୀ ନେତାଙ୍କୁ ଏକାଠି କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଦାମ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଥିଲେ।

ଚତୁର୍ଥ ପାଳି ସରକାରରେ ବି ଦାମଙ୍କ ବିବାଦରେ ତାଲିକା କିଛି କମ୍‌ ନୁହେଁ। ଯାଜପୁରର ଏକ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଦିଦିଙ୍କ ଉପରେ ବିବାଦୀୟ ବୟାନ ଏବଂ ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ବ୍ରାହ୍ମଣମାନଙ୍କ ଉପରେ ନକରାତ୍ମକ ଟିପ୍ପଣୀ ଦେଇ ଦାମ ବିବାଦରେ ରହିଥିଲେ। ଚାରିଆଡ଼େ ଉତ୍ତେଜନା ଦେଖାଦେଲେ ଦାମଙ୍କ ଇସ୍ତଫା ଦାବି ଜୋର ଧରିଲା। ଶେଷରେ ଦାମଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଏହାପରେ ଦାମ ବିଜେଡି ନେତାଙ୍କ ବିରୋଧରେ ବିଷୋଦଗାର କରି ଦଳରୁ ବହିଷ୍କୃତ ହୋଇଥିଲେ।

Comment