ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରଙ୍କ ଦାଦାଗିରିକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବୁର୍ଲା ମେଡିକାଲ କଲେଜ। ଜଣେ ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରି ଫସିଛନ୍ତି ଡାକ୍ତର। ଏନେଇ ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ମାଡ଼ ଖାଇଥିବା ଯୁବକଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ୩୨୩, ୩୪୧, ୩୪ (ଆଇପିସି)ରେ ମାମଲା ରୁଜୁ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ କହିଛନ୍ତି ଯେ ଆସନ୍ତାକାଲି ଘଟଣାର ସମୀକ୍ଷା କରାଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭିମ୍‌ସାରରେ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ଭିତରେ ଚାଲିଥିବା ତେରୀମେରୀ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଡାକ୍ତର ଜଣକ ରୋଗୀ ସମ୍ପର୍କୀୟଙ୍କୁ ଲୋକଙ୍କ ଆଗରେ କାନ ଧରି ଉଠ୍‌ ବସ୍‌ କରିବା ସହ ଗାଳି ଗୁଲଜ କରୁଥିଲେ। ଆଉ ଜଣେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ୍‌ ମାଗିବାକୁ ସଂପୃକ୍ତ ରୋଗୀ ସମ୍ପର୍କୀୟଙ୍କୁ କୁହାଯାଉଥିବା ଭିଡିଓରେ ରେକର୍ଡ ହୋଇଥିଲା।

ଭିଡିଓ ଭାଇରାଲ ହେବା ପରେ ଡାକ୍ତରଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରାଯାଇଥିଲା। ଏହାପରେ ଡାକ୍ତରମାନେ ପାଲଟା ଅଭିଯୋଗ କରିଥିଲେ। ଜଣେ ଡାକ୍ତରଙ୍କୁ ଦୁଇ ଜଣ ଯୁବକ ମାଡ଼ ମାରିବାକୁ ଉଦ୍ୟମ କରିବା ପରେ ଏଭଳି ଘଟଣା ଘଟିଥିବା ଡାକ୍ତର କହିଥିଲେ।

Comment