ଓଡ଼ିଶାଲାଇଭ୍‌ ବ୍ୟୁରୋ

ରସଗୋଲା ବିବାଦ ଟଳିବାର ନାଁ ନେଉନି। ଭାରତର ଜିଓଗ୍ରାଫିକଲ ଇଂଡିକେସନ ବା ଜିଆଇ ରେଜିଷ୍ଟ୍ରି ଏହି ମାମଲାରେ ରାୟ ଏବେ ସଂରକ୍ଷିତ ରଖିଛନ୍ତି। ସମ୍ଭବତଃ ୩୧ ତାରିଖରେ ରାୟ ପ୍ରକାଶ ପାଇବ।

ଖବର ଅନୁଯାୟୀ, ଜିଆଇ ପକ୍ଷରୁ ‘ବାଙ୍ଗଲାର ରସଗୋଲା’କୁ ଯେଉଁ ଟ୍ୟାଗ ଦିଆଯାଇଥିଲା ତାହା ବିରୁଦ୍ଧରେ ଓଡ଼ିଶାର ରମେଶ ଚନ୍ଦ୍ର ସାହୁ ଏକ କେସ୍ ଦାୟର କରିଥିଲେ। ଚେନ୍ନାଇରେ ଥିବା ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଉଭୟ ପକ୍ଷର ଯୁକ୍ତିକୁ ଶୁଣା ଯାଇଛି। ତେବେ ରାୟକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଭୁବନେଶ୍ୱରସ୍ଥିତ ରେଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ରମେଶ ସାହୁ ବଙ୍ଗଳାକୁ ଦିଆଯାଇଥିବା  ରସଗୋଲା ଟ୍ୟାଗକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଥିଲେ। ତାଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ରସଗୋଲାର ଉତ୍ପତ୍ତି ଓଡ଼ିଶାରେ ୮୦୦ ବର୍ଷ ତଳେ ହୋଇଥିଲା ଏବଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଏହି ମିଠାର ସମ୍ପର୍କ ରହିଛି। ଗତ ମାସ ୬ ତାରିଖରେ ସାହୁଙ୍କ ସମେତ ତାଙ୍କ ଓକିଲ ସମସ୍ତ କାଗଜ ପତ୍ର ଦାଖଲ କରିଥିଲେ। କିନ୍ତୁ ବଙ୍ଗଳା ପକ୍ଷରୁ ସମୟ ନିଆଯାଇଥିଲା। ଚଳିତ ୨୧ ତାରିଖରେ ପଶ୍ଚିମବଙ୍ଗ ତାର ଯୁକ୍ତି ଉପସ୍ଥାପନ କରିଛି। ଶୁଣାଣି ବେଳେ ପଶ୍ଚିମବଙ୍ଗର ଯୁକ୍ତିକୁ ଓଡ଼ିଶା ପକ୍ଷରୁ  ତୀବ୍ର ବିରୋଧ କରାଯାଇଥିଲା ବୋଲି ଜଣାପଡିଛି।

ରମେଶ ଚନ୍ଦ୍ର ସାହୁଙ୍କ ବ୍ୟତୀତ ଓଡ଼ିଆପ୍ରଭାର ସମ୍ପାଦକ ସନ୍ତୋଷ କୁମାର ସାହୁ ଏହି ମାମଲା ଲଢୁଛନ୍ତି।

Comment