ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଅକ୍ଟୋବର ମାସରେ ଦେଶରେ ବେରୋଜଗାରୀ ଦର ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନୋମୀ(ସିଏମ୍‌ଆଇଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଅକ୍ଟୋବର ମାସରେ ବେରୋଜଗାରୀ ଦର ୮.୫ ପ୍ରତିଶତ ରହିଥିବା ବେଳେ ଏହା ୨୦୧୬ ମସିହା ଅଗଷ୍ଟ ମାସ ପରେ ସର୍ବାଧିକ ସ୍ଥାନରେ ରହିଛି। ଏହା ସେପ୍ଟେମ୍ବର ମାସ ତୁଳନାରେ ମଧ୍ୟ ଯଥେଷ୍ଟ ଅଧିକ ଥିବା ଜଣାଯାଇଛି।

ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାଣି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଲୋକଙ୍କୁ ରୋଜଗାର ମିଳିବା ସଂଖ୍ୟା ବହୁତ କମିଯାଇଥିବା ଦେଖାଦେଇଛି। ୨୦୧୧-୧୨ରୁ ଆରମ୍ଭ କରି ୨୦୧୭-୧୮ ମଧ୍ୟରେ ୯୦ ଳକ୍ଷ ଲୋକଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି।

ଭାରତ ଇତିହାସରେ ପ୍ରଥମଥର ପାଇଁ ୩ଟି ରାଜ୍ୟରେ ବେରୋଜଗାର ସ୍ଥିତି ସଂଙ୍ଗୀନ ଅବସ୍ଥାରେ ରହିଛି। ସିଏମ୍‌ଆଇ ରିପୋର୍ଟ ଅନୁଯାୟୀ, ତ୍ରିପୁରା, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ଲୋକମାନଙ୍କୁ ଚାକିରି ମିଳିୁନାହିଁ। ତ୍ରିପୁରାରେ ବେରୋଜଗାରୀ ଦର ୨୩.୩ ପ୍ରତିଶତ ରେକର୍ଡ ହୋଇଛି।

ଦେଶରେ ୨୦୧୬ରୁ ୨୦୧୮ ମଧ୍ୟରେ ୧.୧ କୋଟି ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ୨୦୧୮ରେ ୪୦.୬ କୋଟି ଲୋକ ଚାକିରି କରୁଥିଲେ। ତେବେ ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଏହା ୪୦ କୋଟିକୁ ହ୍ରାସ ପାଇଥିଲା। ଅର୍ଥାତ୍‌ ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ୬୦ ଲକ୍ଷ ଲୋକ ବେକାରୀ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Comment