ଓଡ଼ିଶାଲାଇଭ୍ ବ୍ୟୁରୋ

ଉପର ନଗଡ଼ାରେ ଜଳିଲା ବିଦ୍ୟୁତ୍‌ ବଲ୍‌ବ। ଆଉ ୫ ଦିନ ଭିତରେ ମଝି ଓ ତଳ ନଗଡ଼ାବାସୀ ଦେଖିବେ ବିଜୁଳି।

ପ୍ରତୀକ୍ଷାର ଅନ୍ତ ଘଟିଛି। ନଗଡ଼ାରୁ ଅନ୍ଧାର ହଟାଇବାରେ ପ୍ରଶାସନ ସଫଳ ହୋଇଛି। ମଙ୍ଗଳବାର ଉପର ନଗଡ଼ାକୁ ବିଜୁଳି ଆସିଥିବା ବେଳେ ମଝି ଏବଂ ତଳ ନଗଡ଼ାକୁ ଆଉ ୫ ଦିନ ଭିତରେ ବିଜୁଳି ଆସିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଦୀର୍ଘ ବର୍ଷ ପରେ ନଗଡ଼ାବାସୀ ବିଜୁଳି ଆଲୁଅ ଦେଖି ଖୁସି ହୋଇଛନ୍ତି। ବିଦ୍ୟୁତ୍‌ ବଲ୍‌ବ କେମିତି ଜଳିବ ଏବଂ କେମିତି ବନ୍ଦ ହେବ ତାହା ମଧ୍ୟ ପ୍ରଶାସନିକ ଅଧିକାରୀ ଲୋକଙ୍କୁ ଜଣାଇଥିଲେ।

ନଗଡ଼ାରେ ବିକାଶମୂଳକ କାମ କେତେବାଟ ଆଗେଇଲା? ସେ ସମ୍ପର୍କରେ ଜାଣିବା ପାଇଁ ଗତ ୨ ତାରିଖରେ ଲୋକାୟୁକ୍ତ ଯାଜପୁର ଜିଲ୍ଲା ପ୍ରଶାସନକୁ ନୋଟିସ୍‌ ଦେଇଥିଲେ। ଏହି ନୋଟିସ୍‌ରେ ଯାଜପୁର ଡିଆର୍‌ଡିଏ, ସୁକିନ୍ଦା ବିଡିଓ, ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜିନିଅର, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର କାର୍ଯ୍ୟନିର୍ବାହୀ ଇଞ୍ଜିନିଅରଙ୍କୁ ପକ୍ଷଭୁକ୍ତ କରିଥିଲେ। ନଗଡ଼ାର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନୋଟିସ୍‌ ପାଇବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା। ଗତ ତିନି ମାସ ହେଲା ନଗଡ଼ାକୁ ବିଜୁଳି ସଂଯୋଗ ପାଇଁ କେବଳ ତାର ଟଣା ହୋଇ ରହିଥିଲା। ହେଲେ ଲୋକାୟୁକ୍ତଙ୍କ ନୋଟିସ୍‌ ପାଇବା ପରେ ଉପର ନଗଡ଼ାରେ ଆଜି ବିଜୁଳି ଜଳିଛି।

ଖଣିଜ ସମ୍ପଦରେ ସମୃଦ୍ଧ ଯାଜପୁର ଜିଲ୍ଲା। ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ଭାବେ ଯାଜପୁର ପରିଗଣିତ। କିନ୍ତୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକରେ ନଗଡ଼ା ବୋଲି ଏକ ଗାଁ ଅଛି ତାହା କେହି ଜାଣି ନଥିଲେ।

ପାହାଡ଼ ଉପରେ ରହିଛି ନଗଡ଼ା। ଉପର, ମଝି ଏବଂ ତଳ ନଗଡ଼ା ଭାବେ ତିନୋଟି ଗାଁ ରହିଛି। ୨୦୧୬ରେ ଏହି ଗାଁ ପ୍ରଥମ ଥର ପାଇଁ ଟିଭି ଏବଂ ଖବରକାଗଜର ହେଡ୍‌ଲାଇନ୍‌ସ ପାଲଟିଥିଲା। ଅପପୁଷ୍ଟିରେ ୧୯ ଜଣ ଶିଶୁ ପ୍ରାଣ ହରାଇବା ପରେ ନଗଡ଼ା ରାଜ୍ୟ ରାଜନୀତିକୁ ହଲଚଲ୍‌ କରିଥିଲା।

ନଗଡ଼ାକୁ ସରକାରୀ ଅଧିକାରୀ ଏବଂ ବିରୋଧୀ ଦଳ ନେତାମାନଙ୍କର ସୁଅ ଛୁଟିଲା। ନଗଡ଼ାକୁ ଯିବା ପାଇଁ ଭଲ ରାସ୍ତା ନଥିଲା। ଏହି ଗାଁରେ ପହଞ୍ଚିବାକୁ ହେଲେ ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ନଗଡ଼ାକୁ ନେଇ ରାଜ୍ୟ ସରକାର ଅପଦସ୍ତ ହେବା ପରେ ଏହି ଅଞ୍ଚଳର ବିକାଶ ପାଇଁ ସରକାର ଯୋଜନା କଲେ। ନଗଡ଼ାକୁ ରାସ୍ତା ଖୋଲିଲା। ୨୦୧୭ରେ ଚଣ୍ଡିଖୋଲରୁ ନଗଡ଼ା ଯାତ୍ରୀବାହୀ ବସ୍‌ ଗଡ଼ିଥିଲା। ଏହାପରେ ନଗଡ଼ାରେ ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ହୋଇଥିଲା।

Comment