ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଚାଷୀ।

ପଶ୍ଚିମ ଓଡ଼ିଶାରେ ଦୀର୍ଘ ତିନି ଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇଛି।  ଗୁରୁବାର ଚାଷୀ ପ୍ରତିନିଧିମାନଙ୍କ ସହ ବୈଠକ କରିବା ପରେ ସଂଘର ଆବାହକ ଅଶୋକ ପ୍ରଧାନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବା ନେଇ ଘୋଷଣା କରିଛନ୍ତି।

ଖରିଫ୍‌ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ଆଜି ଚାଷୀମାନେ ସମ୍ବଲପୁରରେ ରାଜରାସ୍ତା ଅବରୋଧ କରିଥିଲେ। ଟୋକନ୍‌ ବ୍ୟବସ୍ଥା ପ୍ରତ୍ୟାହର ନହେଲେ ଆନ୍ଦୋଳନ ଚାଲିବ ବୋଲି ଚାଷୀମାନେ ଜିଦ୍‌ ଧରିଥିଲେ। ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ ପହଞ୍ଚିଥିଲେ ସରକାରଙ୍କ ଦୁଇ ପ୍ରତିନିଧି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ।

ଚାଷୀମାନଙ୍କ ସହ ଏହି ଦୁଇ ପ୍ରତିନିଧି ଆଲୋଚନା କରିଥିଲେ। ଟୋକନ୍‌ ବ୍ୟବସ୍ଥା ସରଳୀକରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀ ପ୍ରତିନିଧିଙ୍କ ଭିତରେ ବୈଠକ ବସିଥିଲା। ଶେଷରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଧାନ ସଂଗ୍ରହରେ  ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ରାଜ୍ୟ ସରକାର ଲାଗୁ କରିଥିବା ନୂଆ ଟୋକନ୍ ବ୍ୟବସ୍ଥାକୁ ଚାଷୀମାନେ ଘୋର ବିରୋଧ କରିଥିଲେ। ଚାଷୀମାନେ ସମ୍ବଲପୁର ଜିଲ୍ଲାର ଚାରି ବିଧାୟକଙ୍କ ଘର ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ସହ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ମଧ୍ୟ ଘେରାଉ କରିଥିଲେ। ଧିରେ ଧିରେ ଏହି ଚାଷୀ ଆନ୍ଦୋଳନ ପଶ୍ଚିମ ଓଡ଼ିଶାରୁ କୋରାପୁଟକୁ ବ୍ୟାପିଥିଲା।

ବିଧାନସଭା ଅଧିବେଶନରେ ମଧ୍ୟ ଏହାକୁ ନେଇ ବିରୋଧୀ ଶାସକ ଦଳକୁ ଘେରିଥିଲେ। ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ହେବନାହିଁ ବୋଲି ସିଧାସିଧା ଉତ୍ତର ରଖିଥିଲେ। ତେବେ ଏହାପରେ ମଧ୍ୟ ଚାଷୀମାନେ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ ଚାଲୁ ରଖିଥିଲେ।

ବୁଧବାର ଚାଷୀଙ୍କୁ ବୁଝାଇବା ପାଇଁ ରାଜ୍ୟ ସରକାରଙ୍କ ଦୁଇ ପ୍ରତିନିଧି ଭାବେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୁଜାରୀ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ନହୋଇ ସରଳୀକରଣ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

ଗୁରୁବାର ମଧ୍ୟ ମନ୍ତ୍ରୀ ସୁଶାନ୍ତ ସିଂହ ଓ ରୋହିତ ପୂଜାରୀ ରାଜରାସ୍ତା ଉପରେ ବସିଥିବା ଚାଷୀଙ୍କ ସହ ଆଲୋଚନା କରିବା ସହ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଯାଇ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି ଚାଷୀ ସଂଗଠନ।

Comment