ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି: ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମର ହୋଇଥାଏ। ଦୁହେଁ ଦୁହିଁଙ୍କ ହାତ ଧରି ସାତ ଜନମର ସାଥୀ ହେବେ ବୋଲି ପ୍ରତିଜ୍ଞା କରିଥାନ୍ତି। ଜୀବନ ସଂଗ୍ରାମରେ ସାଥୀ ହେବା ପାଇଁ ସ୍ୱାମୀର ହାତ ଧରିଥାଏ ସ୍ତ୍ରୀ। ତେବେ ଜଣେ ସ୍ତ୍ରୀ ତା’ନିଜ ସ୍ୱାମୀକୁ ତା ପ୍ରେମିକା ସହ ବାହା କରାଇବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କମରାପାଲି ଗାଁ’ରେ। ଗାଁ’ର ଗାୟତ୍ରୀ କବାସୀ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ତାଙ୍କ ପ୍ରେମିକା ସହ ବିବାହ କରାଇଛନ୍ତି। ତେବେ ଏହି ବିବାହ ପଛରେ ରହିଛି ଏକ ରୋଚକ କାହାଣୀ।

କମାରପାଲି ଗାଁର ଗାୟତ୍ରୀ କବାସୀଙ୍କ ସ୍ୱାମୀ ରାମ କବାସୀ ଆଉ ଜଣେ ମହିଳାଙ୍କୁ ଭଲ ପାଉଥିଲେ। ସେ ମହିଳା ମଧ୍ୟ ଗାୟତ୍ରୀଙ୍କ ସ୍ୱାମୀ ରାମଙ୍କୁ ଭଲ ପାଉଥିଲେ। ତେବେ ଉକ୍ତ ପ୍ରେମିକା ଜଣକ ରାମଙ୍କୁ ବିବାହ କରିବାକୁ ଅଡ଼ି ବସିଥିଲେ। ହେଲେ ଏଥିରେ ରାଜି ହୋଇନଥିଲେ ବିବାହିତ ରାମ କବାସୀ।

ଏନେଇ ପ୍ରେମିକା ଜଣକ ରାମଙ୍କ ନାଁରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ।

ଏଭଳି ଘଟଣାରେ ସ୍ୱାମୀଙ୍କୁ ଜେଲ୍ ହେବା ଭୟରେ ଗାୟତ୍ରୀ ତାଙ୍କ ସ୍ୱାମୀଙ୍କ ବାହାଘର ତାଙ୍କ ପ୍ରେମିକା ସହ କରାଇବାକୁ ସ୍ଥିର କରିଥିଲେ। ଶୁକ୍ରବାର ଗାଁ’ର କିଛି ଭଦ୍ରଲୋକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗାୟତ୍ରୀ ନିଜ ସ୍ୱାମୀଙ୍କ ବାହାଘର କରିଛନ୍ତି।

Comment