ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୩୦ରୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ନିଜ ନିଜର ଷ୍ଟ୍ରାଟେଜିକୁ ନେଇ ପୂରା ପ୍ରସ୍ତୁତ। ତେବେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ଯେ, ଝାଡ଼ଖଣ୍ଡ ବିଧାନସଭାର ବାଚସ୍ପତି ପଦ ନେତାଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି।

ଝାଡ଼ଖଣ୍ଡ ବିଧାନସଭାରେ ଯେଉଁ ସବୁ ନେତା ବାଚସ୍ପତି ହୋଇଛନ୍ତି, ତାଙ୍କର ପରବର୍ତ୍ତୀ ନିର୍ବାଚନରେ ଅଧିକାଂଶ ନେତା ପରାଜିତ ହୋଇଛନ୍ତି। ଏହାକୁ ଆପଣ କୌଣସି ସଂଯୋଗ ଭାବିପାରିବେ କିମ୍ବା ଅନ୍ଧବିଶ୍ୱାସ। ତେବେ କଥାଟି କିନ୍ତୁ ସମ୍ପୂର୍ଣ୍ଣ ସତ।

୨୦୦୫ ମସିହାରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହୋଇଥିଲା। ବିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭାର ବାଚସ୍ପତି ଥିଲେ ଏମପି ସିଂହ। ସେ ୨୦୦୦ ମସିହା ନିର୍ବାଚନରେ ଜାମସେଦପୁର-ପଶ୍ଚିମ ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ତେବେ ୨୦୦୫ ନିର୍ବାଚନରେ ତାଙ୍କୁ ସେହି ଆସନରୁ ଟିକେଟ୍‌ ମିଳିନଥିଲା। ତେଣୁ ସେ ବିଜେପିର ମେଣ୍ଟ ଦଳରୁ ବାହାରିଆସି ଆରଜେଡି ଟିକେଟରେ ନିର୍ବାଚନ ଲଢ଼ି ହାରିଯାଇଥିଲେ।  ଝାଡ଼ଖଣ୍ଡ ରାଜନୀତିରେ ଏହା ପ୍ରଥମ ଥର ଥିଲା ଯେ, ଜଣେ ପୂର୍ବ ବାଚସ୍ପତି ନିର୍ବାଚନରେ ହାରିଯାଇଥିଲା।

୨୦୦୯ ମସିହାରେ ମଧ୍ୟ ସେହିଭଳି ଘଟଣା ଘଟିଥିଲା। ନିର୍ବାଚନ ପୂର୍ବରୁ ବାଚସ୍ପତି ଥିବା ଆାଲାମ୍ ଗିରି ଆଲାମ୍ ୨୦୦୯ ବିଧାନସଭା ନିର୍ବାଚନରେ ହାରିଯାଇଥିଲେ। ସେ ଝାଡ଼ଖଣ୍ଡର ପାକୁଡ଼ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ହାରିଯାଇଥିଲେ।

ସେହିପରି ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ ବାଚସ୍ପତି ଥିଲେ ଶଶାଙ୍କ ଶେଖର ଭୋକ୍ତା। ୨୦୧୪ ନିର୍ବାଚନରେ ମଧ୍ୟ ଶଶାଙ୍କ ଦେବଗଡ଼ ଆସନରୁ ନିର୍ବାଚନ ଲଢ଼ି ହାରିଯାଇଥିଲେ। ଜଣେ ପୂର୍ବ ବାଚସ୍ପତି ବିଧାନସଭା ନିର୍ବାଚନରେ ହାରିଯିବା ଝାଡ଼ଖଣ୍ଡ ରାଜନୀତି ପାଇଁ ତୃତୀୟ ଥର ଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭାର ବାଚସ୍ପତି ଅଛନ୍ତି ଦିନେଶ ଓରାଙ୍ଗ୍। ଚଳିତ ନିର୍ବାଚନରେ ସେ ସିସାଇ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ଦିନେଶଙ୍କ କ୍ଷେତ୍ରରେ ଏହି ସଂଯୋଗ କାମକରୁଛି କି ନାହିଁ ଏବେ ତାହା ହିଁ ଦେଖିବାକୁ ବାକି ରହିଲା।

Comment