ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ୧୦୦କୋଟିର ସରକାରୀ ଜମି ହଡ଼ପ ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ମହାରଥୀ ନିଜ ଫାର୍ମ ହାଉସ ପାଖରେ ଥିବା ସରାକାରୀ ଜମିକୁ ଜବରଦଖଲ କରିଥିବା ଗୋଲଖ ମହାପାତ୍ର ଅଭିଯୋଗ କରିଛନ୍ତି। ଏହାସହ ସେ କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି।

ଗୋଲକ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ହୁଙ୍କେଇପୁର ଫାର୍ମ ହାଉସ ନିକଟ ମୌଜାରେ ଜମି ହଡ଼ପ କରିଛନ୍ତି। ଏହାସହ ପୋଡ଼ାଗୁଣ, ପାଣିଦୋଳ ମୌଜାର ସରକାରୀ ଜମି ମଧ୍ୟ ହଡ଼ପ କରିଛନ୍ତି। ଏନେଇ ଖାତା ନମ୍ଵର ସହ ପୂର୍ଣ୍ଣ ତଥ୍ୟ ରଖିଛନ୍ତି ଗୋଲକ ମହାପାତ୍ର।

ଏହି ଅଭିଯୋଗ ନେଇ ୨୦୧୫ରେ ମହାରଥୀଙ୍କ ପ୍ରତିଦ୍ଵନ୍ଦୀ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ହାଇକୋର୍ଟ ଯାଇଥିଲେ। ପରେ ୨୦୧୬ରେ ହାଇକୋର୍ଟ ତାଙ୍କୁ ଜିଲ୍ଲାପାଳଙ୍କ ପାଖକୁ ଯିବାକୁ କହିଥିଲେ। ହେଲେ ଯୁଧିଷ୍ଠିର ଜିଲ୍ଲାପାଳଙ୍କ ପାଖକୁ ନଯାଇ ମହାରଥୀଙ୍କ ସହ ବୁଝାବଣା କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି।

ଏହାସହ ଯୁଧିଷ୍ଠିର ତାଙ୍କ ସମ୍ପର୍କୀୟ ଓ ସାଙ୍ଗଙ୍କ ନାଁରେ ୫୬ ଏକର ଜମି ହଡ଼ପ କରିଛନ୍ତି। ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ ବୋଲି ବିଜେପି କହିଛି।

Comment