ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମଯାତ୍ରାରେ ଶହ ଶହ ଲୋକଙ୍କ ଭିଡ଼। ସ୍ୱର୍ଗଦ୍ୱାର ଅନ୍ତ୍ୟେଷ୍ଟିକ୍ରିୟାରେ କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ଯୋଗଦାନ। କୋଭିଡ୍ କଟକଣା ଭୁଲି ସମବେଦନା ଜଣାଇବାକୁ ସମବେତ ହୋଇଥିବା ନେତା-ଜନତା ଡାକିଆଣିବେ କି ସଂକ୍ରମଣ?

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ନିଜ ନେତାକୁ ଅନ୍ତିମଯାତ୍ରାରେ ବାଟେଇଦେବା ପାଇଁ ଛୁଟି ଆସିଥିଲେ ଶହଶହ ଜନତା। ଘରୁ ସ୍ୱର୍ଗଦ୍ୱାର ଯାଏ ପ୍ରବଳ ଭିଡ଼ ଲାଗିଥିଲା। ପାର୍ଥିବ ଶରୀର ଶୋଭାଯାତ୍ରାରେ ଶହ ଶହ ଲୋକ ବାଇକ୍‌ରେ ଥିଲେ। ସ୍ୱର୍ଗଦ୍ୱାରରେ ସଂସ୍କାର ବେଳେ କରୋନା ଆକ୍ରାନ୍ତ ଥିବା ମନ୍ତ୍ରୀ, ବିଧାୟକ ମଧ୍ୟ ସାମିଲ ହୋଇଥିଲେ। ମହାରଥୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ତାଙ୍କ ପରିବାର ପ୍ରତି ଛୁଟିଥିଲା ସମବେଦନାର ସୁଅ।

ତେବେ କରୋନା ମହାମାରୀ ସମୟରେ ଲୋକେ ଏକାଠି ହେବାରେ ସଂକ୍ରମଣ ଆଶଙ୍କା ଅଧିକ ରହୁଥିବାରୁ ୭ ମାସ ହେଲା ଏହା ଉପରେ କଟକଣା ରହିଆସିଛି। କିନ୍ତୁ ମହାରଥୀଙ୍କ ଅନ୍ତିମଯାତ୍ରାରେ ସେସବୁ ଆଶଙ୍କାକୁ ଫୁ’ କରି ଯେତିକି ସଂଖ୍ୟାରେ ଲୋକଙ୍କ ସମାଗମ ହେଲା, ତାହା ସମସ୍ତଙ୍କୁ ଚକିତ କରିଛି। ସେଥିରେ କରୋନା ଆକ୍ରାନ୍ତ ନେତାଙ୍କ ଉପସ୍ଥିତି ମଧ୍ୟ ଥିଲା। ଏହା ସଂକ୍ରମଣର କାରଣ ହୋଇପାରେ ବୋଲି ବିରୋଧୀ ଦଳର କେତେଜଣ ନେତା ଏବଂ ସାଧାରଣ ଜନତା ମଧ୍ୟ କହିବା ଆରମ୍ଭ କଲେଣି।

ସ୍ୱର୍ଗଦ୍ୱାରରେ ସମୀର, ଉମା: ଘରେ ଥାଇ ସମବେଦନା ଜଣାଇଲେ ରଣେନ୍ଦ୍ର

ମହାରଥୀଙ୍କ ଅନ୍ତିମ ସଂସ୍କାର ବେଳେ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ ନିମାପଡ଼ା ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ବିସ୍ମୟର କଥା ହେଉଛି ଏହି ଦୁଇଜଣ କୋଭିଡ୍ ପଜିଟିଭ୍ ଥିଲେ। ସମୀର ଗତ ସେପ୍ଟେମ୍ବର ୧୪ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଉମା ଗତ ୨୮ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏପରି ପରିସ୍ଥିତିରେ ଦୁଇଜଣ ସଚେତନ ଲୋକ ପ୍ରତିନିଧି ଓ ଶାସକ ଦଳର ବିଧାୟକ କିଭଳି ସରକାରଙ୍କ କୋଭିଡ୍ ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ କରି ଅନ୍ତିମକ୍ରିୟାରେ ସାମିଲ ହେଲେ, ତାହା ଏବେ ଏକ ବଡ଼ ପ୍ରଶ୍ନ। ଅଥଚ ସେହି ଦଳର ଜଣେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନା ପାଇଁ ସଂଯମତା ଆପଣାଇ ନିଜ ଫେସବୁକ୍ ଓ ଟୁଇଟର ଅପଡେଟ୍‌ରେ ଲେଖିଛନ୍ତି, ‘ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ହୋମ୍ ଆଇସୋଲେସନରେ ଥିବାରୁ ମହାରଥୀଙ୍କ ଶେଷ ଦର୍ଶନ କରିପାରିଲି ନାହିଁ। ଏହା ମୋ’ ପାଇଁ ଜୀବନ ସାରା ଅବସୋସ ହୋଇ ରହିଯିବ।’

ସମୀର, ଉମାଙ୍କ ନାମରେ ମାମଲା

ମହାରଥୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇଥିବା ସମୀର ରଞ୍ଜନ ଦାଶ ଓ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ କୋଭିଡ୍-୧୯ ଗାଇଡଲାଇନ ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ପୁରୀର ଶ୍ରୀଜଗନ୍ନାଥ ସେନା ଓ ଜିଲା ବିଜେପି ମୋର୍ଚ୍ଚା ଏହି ଅଭିଯୋଗ ଆଣି ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଛି। ଅତିମାରୀ କଟକଣା ଅମାନ୍ୟ କରିବା ଓ ପଦପଦବୀର ଅପବ୍ୟବହାର ଅଭିଯୋଗରେ ଉଭୟ ନେତାଙ୍କ ଗିରଫଦାରୀ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

୫ ଦିନ ତଳେ ବିଧାନସଭାରେ ପାରିତ ବିଲ୍‌କୁ ନେତା ମାନିଲେନି

ଓଡ଼ିଶା ବିଧାନସଭାରେ ୫ ଦିନ ତଳେ ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ ହୋଇଥିଲା। କୋଭିଡ୍ ନିୟମ ନ ମାନିଲେ ଏକ ଲକ୍ଷ ଟଙ୍କା ତଣ୍ଡ ନଚେତ୍ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ପାଇଁ ଏଥିରେ କଡ଼ା ପ୍ରାବଧାନ ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ସରକାର ଏହି ସଂଶୋଧନ ବିଲ୍ ଆଣିଥିଲେ। କିନ୍ତୁ ଖୋଦ୍ ଦୁଇ ବିଧାୟକ ଓ ମନ୍ତ୍ରୀ ଏହି ନିୟମର ଉଲ୍ଲଘଂନ କରିଛନ୍ତି। ସରକାର ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ନିୟମ ଅଛି ୨୦, ଅନ୍ତିମଯାତ୍ରାରେ ଶହ ଶହ ଜନତା ଏକାଠି

କରୋନା ମହାମାରୀ ବେଳେ କୌଣସି ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଜ୍ଞାତି କୁଟୁମ୍ବରୁ ଅତି ବେଶୀରେ ୨୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ରହିଛି। କିନ୍ତୁ ଏହି ନିୟମକୁ ଅବଜ୍ଞା କରି ଶହ ଶହ ଲୋକେ ମହାରଥୀଙ୍କ ଅନ୍ତିମଯାତ୍ରା ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ। ଯେକୌଣସି ସ୍ଥାନରେ ଅନୁମତିଠାରୁ ଅଧିକ ଗହଳି ହେଲେ ପୋଲିସ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି। ଜରିମାନା ଆଦାୟ କରୁଛି। କିନ୍ତୁ ମହାରଥୀଙ୍କ ଅନ୍ତିମଯାତ୍ରାରେ ଯେଉଁ ଭିଡ଼ ଦେଖିବାକୁ ମିଳିଲା, ତାହାକୁ ପୂର୍ବରୁ କେହି ନିୟନ୍ତ୍ରଣରେ ରଖିବାକୁ ଭୁଲିଗଲେ କିପରି ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି।

ଅନ୍ତିମଯାତ୍ରା ଭିଡ଼ ହୋଇପାରେ ସୁପର ସ୍ପ୍ରେଡର

ମହାରଥୀଙ୍କ ଅନ୍ତିମଯାତ୍ରାରେ ଭୁବନେଶ୍ୱରରୁ ପିପିଲି ଦେଇ ପୁରୀ ପର୍ଯ୍ୟନ୍ତ ଲୋକେ ଭିଡ଼ ଲଗାଇଥିଲେ। ସ୍ୱର୍ଗଦ୍ୱାରରେ ଲୋକଙ୍କ ସହ ସାମିଲ ହେଲେ କରୋନା ଆକ୍ରାନ୍ତ ନେତା। କରୋନା ପଜିଟିଭ ବାହାରିବାର ୭ ଦିନ ନ ହେଉଣୁ ଚିକିତ୍ସାଧୀନ ଥିବା ବିଧାୟକ ଉମାକାନ୍ତ ସାମନ୍ତରାୟ ହସ୍ପିଟାଲରୁ ସିଧାସଳଖ ସ୍ୱର୍ଗଦ୍ୱାର ଗହଳି ଭିତରକୁ ପଶିଗଲେ କିପରି? ଏହା ସଂକ୍ରମଣର କାରଣ ହେବନାହିଁ କି ? ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଜଣେ ରୋଗୀଙ୍କ ଭିତରେ କରୋନାର ଭୂତାଣୁ ୯୦ ଦିନ ପର୍ଯ୍ୟନ୍ତ ରହେ। ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହେବାର ୮୦ ଦିନ ପରେ ପୁଣିଥରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି ଅନ୍ୟ କେତେଜଣ ବିଧାୟକ ପୁନର୍ବାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବିଧାୟକ ସମୀର ଦାଶ ମଧ୍ୟ କରୋନା ପୀଡ଼ିତ ଥାଇ ମହାରଥୀଙ୍କ ବାସଭବନ ଓ ସ୍ୱର୍ଗଦ୍ୱାରରେ ଅନେକ ଲୋକଙ୍କ ସହ ମିଶିଛନ୍ତି।

ଅନ୍ୟପକ୍ଷରେ ସମାଗମ ହୋଇଥିବା ୨୦ ହଜାର ଲୋକଙ୍କ ଭିତରେ ଅନେକ କରୋନା ଆକ୍ରାନ୍ତ (ଲକ୍ଷଣ ନ ଥିବା କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା) ଥାଇପାରନ୍ତି। ସେମାନଙ୍କଠାରୁ ଖୁବ୍ କମ୍ ସମୟରେ ବହୁ ସଂଖ୍ୟାରେ ଲୋକ କରୋନା ସଂକ୍ରମଣର ଶିକାର ହେବେ ନାହିଁ କି? ଏବେ ଏଭଳି ପ୍ରଶ୍ନ ସଭିଙ୍କ ଭିତରେ ଉଙ୍କି ମାରୁଛି।

ସ୍ୱର୍ଗଦ୍ୱାର: ଲୋକଙ୍କୁ ମନା, ନେତାଙ୍କୁ ଖୋଲା

କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ସ୍ୱର୍ଗଦ୍ୱାରରେ କୌଣସି ମୃତଦେହର ସଂସ୍କାର ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ କିଛିଦିନ ଭିତରେ ୨ ଜଣ ନେତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଏଠାରେ କରାଗଲାଣି। ପୂର୍ବରୁ ତିର୍ତ୍ତୋଲର ଦିବଂଗତ ବିଧାୟକ ବିଷ୍ଣୁ ଦାସ ଓ ରବିବାର ମହାରଥୀଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ ହୋଇଛି। ଏହି ଘଟଣା ପରେ ଏବେ ଲୋକେ ପଚାରିଲେଣି ଯେ ସ୍ୱର୍ଗଦ୍ୱାର କେବଳ ନେତାଙ୍କ ପାଇଁ। ଲୋକଙ୍କ ବେଳକୁ ବନ୍ଦ। କରୋନା ଗାଇଡଲାଇନ କେବଳ ଲୋକଙ୍କ ପାଇଁ। ନେତାଙ୍କ ବେଳକୁ ମାଫ୍। ଗରିବ ଲୋକେ କ’ଣ ଏଠି ମୃତଦେହ ପୋଡ଼ିପାରିବେନି।

Comment