ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧିନ ସରକାର ଭାଙ୍ଗିବା ପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇସାରିଛି। ଉଦ୍ଧବ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ। ଆସନ୍ତା ଡିସେମ୍ବର ୧ରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଠାକ୍ରେ ପରିବାରରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ। ୧୯୬୬ ମସିହାରେ ବାଲା ସାହେବ ଠାକ୍ରେ ମହାରାଷ୍ଟ୍ରରେ ଶିବସେନା ନାମରେ ଆଞ୍ଚଳିକ ଦଳ ନିର୍ମାଣ କରିଥିଲେ। ଏହାପରଠୁ ଠାକ୍ରେ ପରିବାରରୁ କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦରେ ରହି ନାହାନ୍ତି। ୧୯୯୫ ମସିହାରେ ମନୋହର ଯୋଶୀ ଏବଂ ୧୯୯୯ ମସିହାରେ ନାରାୟଣ ରାଣେ ଶିବସେନା ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଶିବସେନା ଦଳ ନିର୍ମାଣ ହେବା ଦିନଠୁ ସରକାର ଗଢ଼ିବା ପାଇଁ କୌଣସି ଦଳ ସହ ମେଣ୍ଟ କରିନଥିଲା। ତେବେ ପ୍ରଥମଥର ପାଇଁ ଶିବସେନା ମହାରାଷ୍ଟ୍ରରେ ଏନ୍ସିପି ଏବଂ କଂଗ୍ରେସ ଦଳ ସହ ମେଣ୍ଟ କରିଛି। ଏହି ମେଣ୍ଟ ସରକାରର ନେତୃତ୍ୱ ନେଇ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରବିବାର ମହାରାଷ୍ଟ୍ର ଶିବାଜୀ ପାର୍କରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ଠାକ୍ରେ ପରିବାରରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ।

















