ଓଡ଼ିଶାଲାଇଭ୍‌ ବ୍ୟୁରୋ 

ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି କୋଣାର୍କ ଉତ୍ସବ। ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଓଡିଶୀ ତ୍ରିବେଣୀ ଏବଂ ମୋହିନୀ ଆଟ୍ଟମ୍‌ର ଶାସ୍ତ୍ରୀୟ ନୃତ୍ୟରେ ଦର୍ଶକ ବିମୋହିତ ହୋଇଛନ୍ତି। ନୃତ୍ୟଶିଳ୍ପୀମାନେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ।

ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଞ୍ଚରେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟ ଦେଖିବାକୁ ମିଳିଥିଲା।

ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମ୍‌ର ପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଜୟଦେବଙ୍କ କୃତ ଗୀତ ଗୋବିନ୍ଦମର ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବରର ଉପସ୍ଥାପନା କରିଥିଲେ। ଗୁରୁ ମେନନ୍‌ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଛ୍ୱାସ ଅତି ନିଖୁଣ ଭାବେ ମଞ୍ଚସ୍ଥ ହୋଇଥିଲା।

ସନ୍ଧ୍ୟାରେ ଅତିଥି ଭାବେ ପ୍ରିନ୍ସିପାଲ ଏ ଜି ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ସଂଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡକ୍ଟର ସଙ୍ଗୀତା ଗୋସାଇଁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଲନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ କୁମାର ପତି, ଡକ୍ଟର ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ଗଣ ମାଧ୍ୟମକୁ ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ।

Comment