ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଉଠୁଛି ପଡ଼ୁଛି ବରଗଡ଼ ସହର। ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ ଧନୁଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ରିହରସେଲ୍‌।

ଧନୁ ଯାତ୍ରାକୁ ଦୃଷ୍ଟିରେ ରଖି ବରଗଡ଼ରେ ଜୋର୍‌ସୋର୍‌ରେ ଚାଲିଛି ରିହରସେଲ୍‌। ମଥୁରାବାସୀ କଲ୍ୟାଣ ମଣ୍ଡପରେ ରିହରସେଲ୍‌ କରୁଥିବା ବେଳେ ଗୋପପୁରବାସୀ ପାର୍ବତୀଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭ୍ୟାସ ଜାରି ରଖିଛନ୍ତି।

ଚଳିତବର୍ଷ କଂସ ମହାରାଜା ଭୂମିକାରେ ଅଭିନୟ କରୁଛନ୍ତି ଭୁବନେଶ୍ୱର ପ୍ରଧାନ। ସେହିପରି କୃଷ୍ଣ ଭୂମିକାରେ ଆୟୁଷ ବର୍ତ୍ତିଆ, ବଳରାମ ଭୂମିକାରେ ଆଶୁତୋଷ ବର୍ତ୍ତିଆ, ରାଧା ଭୁମିକାରେ ଶ୍ରୀୟାଶୀ ମହାପାତ୍ର ଅଭିନୟ କରୁଥିବା ବେଳେ ଉଗ୍ରସେନଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଆର୍ତ୍ତତ୍ରାଣ ମହାପାତ୍ର।

ବରଗଡ଼ ସହରର ୭ କିଲୋମିଟର ପରିଧି ମଧ୍ୟରେ ଅନୁଷ୍ଠିତ ହୁଏ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏହା ଆଗାମୀ ପୌଷ ଶୁକ୍ଳପକ୍ଷ ୫ମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣିମା ତଥିରେ ଶେଷ ହେବ। ଏହି ସମୟରେ ବରଗଡ଼ ସହର ପାଲଟିଯାଏ ମଥୁରାନଗରୀ ଏବଂ ଆମ୍ବାପଲି ଗାଁ ହୋଇଯାଏ ଗୋପପୁର। ସେହିପରି ଜୀରା ନଦୀ ଯମୁନା ନଦୀରେ ରୁପାନ୍ତରିତ ହୋଇଯାଏ।

କୃଷ୍ଣଲୀଳାଠାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ପୌରାଣିକ କଥାବସ୍ତୁକୁ ଅଭିନୟ ମାଧ୍ୟମରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରଦର୍ଶନ କରାଯାଇଥାଏ। ଧନୁଯାତ୍ରା ପାଇଁ ବର୍ତ୍ତମାନ ଗୋପପୁର ଏବଂ ମଥୁରାନଗରୀରେ ପ୍ରସ୍ତୁତି ଜୋରଦାର ଚାଲିଛି।

Comment