ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଭୁବନେଶ୍ୱର ଜନତା ମଇଦାନରେ କୃଷି ଓଡ଼ିଶା -୨୦୨୦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

  • କୃଷି ଓଡ଼ିଶା-୨୦୨୦ ଉଦଘାଟିତ
  • ତାଳଚେରରେ କାର୍ଯ୍ୟକ୍ଷମ ହେବ ନୂଆ ସାର କାରଖାନା
  • ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନ ସାର ଉତ୍ପାଦନ କରିବାକୁ ଲକ୍ଷ୍ୟ
  • ୧୦ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ
  • କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଗୁଆ

“ଓଡ଼ିଶାର ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ। ୮ ହଜାର କୋଟି ଟଙ୍କାରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ କାମ ମଧ୍ୟ ଆରମ୍ଭ ହୋଇସାରିଛି। ୨୦୨୩ ମସିହା ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ”, କୃଷି ଓଡ଼ିଶା-୨୦୨୦ରେ ଯୋଗଦେବା ଅବସରରେ ଏପରି କହିଛନ୍ତି କେନ୍ଦ୍ର ସାର ଓ ରସାୟନ ବିଭାଗର ସଚିବ ଛବିଳେନ୍ଦ୍ର ରାଉଳ।

ସୋମବାରଠାରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା ୨୦୨୦’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ବିକାଶକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଏହି ଅବସରରେ ସାର ଓ ରସାୟନ ବିଭାଗର ସଚିବ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀମାନଙ୍କୁ ସାର ଯୋଗାଇଦେବା ଆମର ପ୍ରଥମ ଲକ୍ଷ୍ୟ। ତାଳଚେରରେ ଏହି ସାର କାରଖାନା କାର୍ଯ୍ୟକ୍ଷମ ହେବା ପରେ ସେଠାରୁ ବାର୍ଷିକ ସାଢ଼େ ୧୨ ଲକ୍ଷ ମେଟ୍ରିକ୍ ଟନ୍ ସାର ଉତ୍ପାଦନ ହୋଇପାରିବ, ଫଳରେ ଆମକୁ ଆଉ ବାହାରୁ ସାର ଉତ୍ପାଦନ କରିବାକୁ ପଡ଼ିବନି ବୋଲି ସେ କହିଥିଲେ।

ଏପରିକି ଆଗାମୀ ଦିନରେ ଏହି ସାର କାରଖାନାରୁ ଉତ୍ପାଦିତ ହେଉଥିବା ୟୁରିଆକୁ ଆମେ ବାହାର ରାଜ୍ୟକୁ ପଠାଇପାରିବା ସହ ୧୦ ହଜାର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିପାରିବା ବୋଲି କହିଛନ୍ତି କେନ୍ଦ୍ର ସାର ଓ ରସାୟନ ବିଭାଗର ସଚିବ ଛବିଳେନ୍ଦ୍ର ରାଉଳ। ଏଥିସହିତ କୃଷି ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଛନ୍ତି। ସାରା ଦେଶର କୃଷି ଉତ୍ପାଦନ ବୃଦ୍ଧି ୩.୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪.୫ ପ୍ରତିଶତ ରହିଛି ବୋଲି ସେ କହିଥିଲେ। ତାଳଚେର ସାର କାରଖାନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ ଦେଇଥିଲେ। ଏହାର ଠିକ୍ ୧୬ ମାସ ପରେ ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଥିଲେ।।

ରବିବାର ‘କୃଷି ଓଡ଼ିଶା ୨୦୨୦’ର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାର ଓ ରସାୟନ ବିଭାଗର ସଚିବ ଛବିଳେନ୍ଦ୍ର ରାଉଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ସୌରଭ ଗର୍ଗ, କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Comment