ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି କଂଗ୍ରେସ ସଭ୍ୟଙ୍କୁ ଧମକ ଚମକ ଓ ନିର୍ବାଚନରେ ଘୋଡ଼ାବେପାର କରିଥିବା ଅଭିଯୋଗ ହୋଇଛି। ଏପରି ସଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ରାୟଗଡ଼ା ଥାନାରେ ଏକ ଏତଲା ଦେଇଛନ୍ତି।

ରାୟଗଡା ଜିଲ୍ଲା ପରିଷଦ ଉପନିର୍ବାଚନରେ କଂଗ୍ରେସ ସଭ୍ୟ ସଂଖ୍ୟା ଅଧିକ ରହିଥିବାବେଳେ ବିଜେଡ଼ି ପ୍ରାର୍ଥିଙ୍କୁ ବିଜୟୀ କରିବା ସକାଶେ ଶାସକ ଦଳ କଂଗ୍ରେସ ସଦସ୍ୟଙ୍କୁ ଧମକ ଦେଇ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କରିଥିଲେ ବୋଲି ଦୁର୍ଗା ପଣ୍ଡା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତେଣୁ ବିଜେଡ଼ିନେତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କୁ ଦାବି କରିଛନ୍ତି।

ଏହି ଅଭିଯୋଗ ପ୍ରଦାନ ବେଳେ ଦଳର ବିଧାୟକ ପ୍ରାର୍ଥୀ ଅପଲସ୍ୱାମୀ କଡ୍ରକା, ବରିଷ୍ଠ ନେତା ବାପି ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

କଂଗ୍ରେସର ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଫବ୍ରୁଆରି ୧୯ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି କଂଗ୍ରେସକୁ ୫ଖଣ୍ଡ ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି। ବିଜେପି ଦଳ ପକ୍ଷରୁ ୪ଜଣ ନିର୍ବାଚିତ ସଦସ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ନହେବା ପାଇଁ ହ୍ଵିପ୍ ଜାରି ହୋଇଥିଲା। ହେଲେ ଦୁଇ ଜଣ ସଦସ୍ୟ ପୁଷ୍ପାଞ୍ଜଳି ମୁଟିକା ଓ ନେତ୍ରାନନ୍ଦ କୌବର୍ତ୍ତ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

Comment