ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭାର ଚତୁର୍ଥ ଆସନ କ’ଣ ହେବ? ମମତା ମହାନ୍ତ କାହା ସମର୍ଥନ ବଳରେ ଯିବେ ରାଜ୍ୟସଭା?

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସବୁ ଦିଗକୁ ବିଚାର କରି ନବୀନ ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତଙ୍କୁ ପ୍ରାର୍ଥୀ କରିଛନ୍ତି। ଉପକୂଳ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରୁ ବାଛି ବାଛି ପ୍ରାର୍ଥୀ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲାନ୍ସ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

ଏହାସହ ସଂଖ୍ୟାଲଘୁ ଏବଂ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ କାର୍ଡ ଖେଳିଥିବା କୁହାଯାଉଛି। ଏସବୁ ସତ୍ତ୍ୱେ ଆବଶ୍ୟକ ସଂଖ୍ୟା ନଥାଇ ବିଜେଡି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାରୁ ସବୁଠି ଚର୍ଚ୍ଚା ଚାଲିଛି। ଏହି ଆସନ ବିଜେଡି କେମିତି ହାତେଇବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥର ରାଜ୍ୟସଭାରେ ଘୋଡ଼ା ବେପାର ହେବ ନା ଅନ୍ୟ ଦଳର ବିଧାୟକଙ୍କ ସହଯୋଗ ପାଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

‘ବାଲାନ୍ସ’ କାର୍ଡ କ’ଣ?

ରାଜ୍ୟସଭା ପାଇଁ ନବୀନ ଯେଉଁ ୪ ପ୍ରାର୍ଥୀ ଦେଇଛନ୍ତି ସେମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର। ସୁବାସ ସିଂହ କଟକର ହୋଇଥିବା ବେଳେ ମୁନା ଖାଁଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ସେହିପରି ସୁଜିତ କୁମାର କଳାହାଣ୍ଡିର ହୋଇଥିବା ବେଳେ ମମତା ମୟୂରଭଞ୍ଜର। ଚଳିତ ରାଜ୍ୟସଭା ନିର୍ବାଚନରେ ବିଭିନ୍ନ ପ୍ରାନ୍ତରୁ ନେତାଙ୍କୁ ବାଛି ନବୀନ ପ୍ରାର୍ଥୀ କରିଥିବାରୁ ଏହାକୁ ‘ବାଲାନ୍ସ’ କାର୍ଡ କୁହାଯାଉଛି।

୨୦୧୪ ନର୍ବାଚନ ବେଳେ ସୁବାସ ସିଂହ ବାମ ଦଳରୁ ଆସି ବିଜେଡିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ମୁଖପାତ୍ର ପଦବୀରେ ରଖିଥିଲା। ଏହାସହ ସେ ଓଡ଼ିଶା ନିର୍ମାଣ ଶ୍ରମିକ କଳ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିଲେ। ନିର୍ବାଚନରେ ଶ୍ରମିକମାନଙ୍କର ଭୋଟ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏଥର ନବୀନ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି।

‘‘ଦଳ ପ୍ରତି ଯିଏ ଆନୁଗତ୍ୟ ଦେଖାଇଛି ସେ କେବେ ନିରାଶ ହୋଇନି। ମୁଖ୍ୟମନ୍ତ୍ରୀ ତାକୁ ଉଚ୍ଚ ସ୍ଥାନକୁ ନେଇଛନ୍ତି। ଏହାର ପ୍ରମାଣ ମତେ ଆଜି ମିଳିଛି’’, କହିଛନ୍ତି ସୁବାସ ସିଂହ।

ସେହିପରି ସଂଖ୍ୟାଲଘୁ ସଂପ୍ରଦାୟର ନେତା ମୁନା ଖାଁକୁ ପୁରସ୍କୃତ କରିଛନ୍ତି ନବୀନ। ପ୍ରତି ରାଜ୍ୟସଭା ନିର୍ବାଚନ ବେଳେ ମୁନାଙ୍କ ନାଁକୁ ନେଇ ଚର୍ଚ୍ଚା ହୁଏ। ହେଲେ ତାଙ୍କୁ ଟିକେଟ ମିଳୁ ନଥିଲା। ଏବେ ସିଏଏ ବିରୋଧରେ ଯେଉଁ ଜନଅସନ୍ତୋଷ ରହିଛି ତାକୁ ଏଡ଼ାଇବା ପାଇଁ ଏବଂ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବା ପାଇଁ ନବୀନ ମୁନାଙ୍କୁ ପ୍ରାର୍ଥୀ କରିଛନ୍ତି।

ପୂର୍ବରୁ ମୁନା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ। ଏବେ ସଂଖ୍ୟା ଲଘୁ ସେଲ୍‌ର ସଭାପତି ଥିଲେ।

‘‘୩୦ ବର୍ଷର ପରିଶ୍ରମ ମୋର ଆଜି ସାର୍ଥକ ହୋଇଛି। ଜନତା ଦଳ ଅମଳରୁ ଆଜି ପର୍ଯ୍ୟନ୍ତ ମୁଁ ଦଳ ପାଇଁ ସବୁବେଳେ କାମ କରି ଆସିଛି। ମତେ ରାଜ୍ୟସଭାକୁ ପଠାଉଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି’’, କହିଛନ୍ତି ମୁନା ଖାଁ।

୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡି ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ସୁଜିତ କୁମାରଙ୍କୁ ନବୀନ ତୃତୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ୯ଟି ଆଦିବାସୀ ବହୁଳ ଜିଲ୍ଲାକୁ ନେଇ ଗଠନ କରାଯାଇଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ସୁଜିତ କୁମାରଙ୍କୁ। ଏବେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି।

‘‘ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇବା ପାଇଁ ମତେ ଯୋଗ୍ୟ ବିବେଚନା କରିଛନ୍ତି। ଏଣୁ ତାଙ୍କୁ ଧନ୍ୟବାଦ। ଦଳ ସାଙ୍ଗରେ ମୁଁ ଅଛି। ଯେତେବେଳେ ଯାହା ଦାୟିତ୍ୱ ମିଳିଛି ତାହା କରିଛି’’, କହିଛନ୍ତି ସୁଜିତ କୁମାର।

ମହିଳା ଏବଂ ଆଦିବାସୀ କାର୍ଡ ଖେଳିଛନ୍ତି ନବୀନ। ମୟୂରଭଞ୍ଜ ଜିଲ୍ଲା ବିଜେଡି ମହିଳା ଶାଖାର କର୍ମକର୍ତ୍ତା ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମମତା ମହନ୍ତଙ୍କୁ ନବୀନ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି। ଏହାସହ ମମତା କୁଡୁମି ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ନବୀନ ତାଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି।

‘‘ପ୍ରଥମ ଥର ପାଇଁ କୁଡୁମି ସଂପ୍ରଦାୟକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମତେ ଯୋଗ୍ୟ ଭାବିଥିବାରୁ ଏବଂ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି’’, କହିଛନ୍ତି ମମତା ମହାନ୍ତ।

ନବୀନ ମାପିଚୁପି ଏଥର ପ୍ରାର୍ଥୀ ଦେଇଛନ୍ତି। ତେବେ ଚତୁର୍ଥ ଆସନ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଚତୁର୍ଥ ଆସନ ଉପରେ ନଜର

ବିଜେଡି ୩ଟି ଆସନରେ ପ୍ରାର୍ଥୀ ଦେଇ ଆଉ ଗୋଟିଏ ଆସନରେ ଅଶ୍ଵିନୀ ବୈଷ୍ଣବଙ୍କ ଫର୍ମୁଲା ପଡ଼ିପାରେ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ବିଜେଡି ଏହାକୁ ଭୁଲ୍‌ ପ୍ରମାଣିତ କରିଛି। ୪ଟି ଯାକ ଆସନରେ ପ୍ରାର୍ଥୀ ଦେଇଛି। ତେବେ ୩ଟି ଆସନ ପାଇଁ ବିଜେଡି ପାଖରେ ସଂଖ୍ୟା ବଳ ଥିବା ବେଳେ ଆଉ ଗୋଟିଏ ଆସନରେ କ’ଣ କରିବ ତା’ଉପରେ ନଜର ରହିଛି।

ବିଜେଡି ପାଖରେ ୧୧୩ ବିଧାୟକ ରହିଥିବା ବେଳେ ବିଜେପି ହାତରେ ୨୩ ଏବଂ କଂଗ୍ରେସର ୯ ବିଧାୟକ ଅଛନ୍ତି। ସିପିଏମ୍‌ର ୧ ବିଧାୟକ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ଗୋଟିଏ ରାଜ୍ୟସଭା ଆସନ ପାଇଁ ୩୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ୩ଟି ଆସନ ପାଇଁ ବିଜେଡି ପାଖରେ ସଂଖ୍ୟା ବଳ ଅଛି। ହେଲେ ଚତୁର୍ଥ ଆସନ ପାଇଁ ବିଜେଡି ପାଖରେ ମାତ୍ର ୨୩ ବିଧାୟକ ରହୁଛନ୍ତି। ଆହୁରି ୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡୁଛି।

ବିଜେପି ପାଖରେ ୨୩ ବିଧାୟକ ଥିବାରୁ ସେ ବି ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ବିଜେପି ପ୍ରାର୍ଥୀ ଦିଏ ତାହାଲେ ଅସଲ ଖେଳ ଜମିବ ବୋଲି କୁହାଯାଉଛି। କଂଗ୍ରେସ ପାଖରେ ୯ ବିଧାୟକ ରହିଥିବାରୁ ଏହି ଦଳ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ।

ଏପଟେ ସିପିଏମ୍‌ ରାଜ୍ୟସଭା ନିର୍ବାଚନରେ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି। ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଗତ କିଛିଦିନ ତଳେ ନବୀନ ନିବାସରେ ନବୀନଙ୍କୁ ସମ୍ବର୍ଦ୍ଧିତ କରି ବିଜେଡି ପଟକୁ ଢଳିଛନ୍ତି। ତେବେ ଚତୁର୍ଥ ଆସନ କ’ଣ ହେଉଛି ତାକୁ ହିଁ ଅପେକ୍ଷା କରି ଦେଖିବାର କଥା।

Comment