ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଶେଷ ହେଉଛି ୨୧ ଦିନିଆ ଲକଡାଉନ୍‌। ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନା ପାଇଁ ଜାରି କରାଯାଇଥିବା ୨୧ ଦିନିଆ ଲକଡାଉନ ଆସନ୍ତାକାଲି ଶେଷ ହେଉଛି। କିନ୍ତୁ କରୋନା ଭୟ ଏ ପର୍ଯ୍ୟନ୍ତ ଯାଇନାହିଁ। ଓଲଟି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିରେ ଲକଡାଉନ ସମୟ ଏ ମାସ ଶେଷ ପର୍ଯ୍ୟନ୍ତ ବଢିବାର ପୂରା ସମ୍ଭାବନା ରହିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିପାରନ୍ତି। କିନ୍ତୁ ଲକଡାଉନ-୨ ଲକଡାଉନ-୧ ଠାରୁ ପୂରା ଅଲଗା ହେବ।

ପରିବର୍ଦ୍ଧିତ ଲକ୍‌ଡାଉନ ସମୟରେ ବି କରୋନାକୁ ମୁକାବିଲା କରିବା ପାଇଁ ପଦକ୍ଷେପ ତ ଗ୍ରହଣ କରାଯିବ। ତେବେ ବିଗିଡ଼ି ଯାଇଥିବା ଅର୍ଥନୀତିକୁ ମଧ୍ୟ ରାସ୍ତା ଉପରକୁ ଅଣାଯିବ। ସରକାର ଏଥର ଲକଡାଉନରେ କୃଷି ଓ କାରଖାନା ତଥା ଟ୍ରାନ୍ସପୋର୍ଟ କ୍ଷେତ୍ରକୁ ଛାଡ଼ କରିବେ। କରୋନା କଟକଣା ସେହି ସବୁ ରାଜ୍ୟ ବା ଜିଲ୍ଲାରେ ରହିବ ଯେଉଁଗୁଡ଼ିକୁ ହଟସ୍ପଟ ବୋଲି ବିବେଚନା କରାଯାଉଛି।

୨୧ ଦିନିଆ ଲକଡାଉନ ବେଳେ ସବୁ ଦେଶ ଭଳି ଭାରତର ଆର୍ଥିକ ଅବସ୍ଥା ଉପରେ ଭୀଷଣ ପ୍ରଭାବ ପଡିଛି। ସରକାର ଏବେ ଏହାକୁ ଭରଣା କରିବା ପାଇଁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଇଙ୍ଗିତ ଦେଇଥିଲେ। ଗତ ଦୁଇ ମାସ ମଧ୍ୟରେ ସରକାରଙ୍କ ରାଜସ୍ୱ ଆଦାୟ ପାଖାପାଖି ୬୦ ପ୍ରତିଶତ ହ୍ରାସ ପାଇଛି।

ଲକଡାଉନ-୨ରେ ଚାଷୀମାନଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ପରବର୍ତ୍ତୀ ଏକ ମାସ ଧରି ଯେମିତି ଫସଲ ଅମଳ ନିୟମିତ ଭାବରେ ଚାଲେ ସେଥିପ୍ରତି ସରକାର ଧ୍ୟାନ ଦେବେ। ଏପରି କି ରେଡ୍‌ ଓ ଅରେଞ୍ଜ ଜୋନରେ ଘରେ ପରିବା ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଏହାର ମାନେ ହେଲା ଲୋକଙ୍କ ପାଖରେ ପନି ପରିବା ଅଭାବ ରହିବ ନାହିଁ। ସେହିଭଳି ମାଛ ଉତ୍ପାଦନ ପୂର୍ବ ପରି ଚାଲୁ ରହିବ।

ଅର୍ଥନୀତି ଓ ଶ୍ରମିକଙ୍କ ଅବସ୍ଥା ସୁଧାରିବା ପାଇଁ ଛୋଟ ଓ ମାଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାନ ଖୋଲିପାରେ। ଏହି କ୍ଷେତ୍ରରେ ମୋଦୀଙ୍କ ପରାମର୍ଶ ହେଉଛି ଯେ, ଶ୍ରମିକମାନେ କାରଖାନା ଭିତରେ କାମ କରନ୍ତୁ କିନ୍ତୁ ଦୂରତା ବଜାୟ ରଖନ୍ତୁ। ସେମାନେ ଯେମିତି ଘରକୁ ନଯିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ସାଧାରଣତଃ କାରଖାନା ଶ୍ରମିକମାନେ କ୍ୟାମ୍ପରେ ରହିଥାନ୍ତି। ଏଣୁ ସ୍ୱତନ୍ତ୍ର ବସ ଓ ଟ୍ରେନରେ ଶ୍ରମିକମାନଙ୍କୁ ଅଣା ଯାଇପାରିବ ବୋଲି ସରକାର ଚିନ୍ତା କରୁଛନ୍ତି। କୋଉ କୋଉ କାରଖାନାରେ କାମ ଆରମ୍ଭ ହେବ ତାହାର ଚିହ୍ନଟ ଏବେ ଚାଲିଛି।

ଖବର ଆସୁଛି ଯେ, ହସ୍ତତନ୍ତ, ଅଟୋମୋବାଇଲ, ବୈଦ୍ୟୁତିକ ସରଞ୍ଜାମ ତିଆରି କରୁଥିବା କାରଖାନା, ଗୃହ ନିର୍ମାଣ, ସଡ଼କ ଆଦି କ୍ଷେତ୍ର ଖୋଲିବ। ଠିକ ସେହିଭଳି ଲଣ୍ଡ୍ରି, ମୋଚି, ଖବର କାଗଜ ଓ ପ୍ରେସ ଆଦି ଖୋଲିବା ପାଇଁ ଅନୁମତି ମିଳିବ।

ଇତି ମଧ୍ୟରେ ୬ଟି ଅଣ-ବିଜେପି ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ରାଜ୍ୟଗୁଡ଼ିକ ହେଲା ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ। ବିଜେପି ଶାସିତ ରାଜ୍ୟ ସରକାରଗୁଡ଼ିକ ବି ଲକଡାଉନ ବଢାଇବା ପାଇଁ ଚାହୁଁଛନ୍ତି। କିନ୍ତୁ ସେମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

coronaଦେଶର ବଡ଼ ବଡ଼ ମେଟ୍ରୋ ସହରକୁ ଲକଡାଉନରୁ ମୁକ୍ତି ମିଳିବା ଦେଖାଯାଉନାହିଁ। ମୁମ୍ବାଇ, ଇନ୍ଦୋର, ଗୁରୁଗ୍ରାମ, ଭୋପାଳ, ହାଇଦ୍ରାବାଦ, ଅହମ୍ମଦାବାଦ, ବେଙ୍ଗାଳୁରୁରେ ଲଗାତାର କରୋନା ମାମଲା ସାମ୍ନାକୁ ଆସୁଥିବାରୁ ଏହି ସହରରେ କଟକଣା ଜାରି ରହିବ। ରାଜଧାନୀ ଦିଲ୍ଲୀରେ ଲକଡାଉନ ଉଠିବାର ତ ପ୍ରଶ୍ନ ହିଁ ନାହିଁ।

Comment