ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୃଦରୋଗୀମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। କାରଣ ହୃଦରୋଗୀମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ। ଏଥିପାଇଁ ସେମାନେ ନିଜ ଦୈନନ୍ଦିନ ଜୀବନରେ କ’ଣ କରିବେ ଓ କ’ଣ କରିବେ ନାହିଁ ଜାଣି ରଖନ୍ତୁ।

ଚାଲନ୍ତୁ: ହୃଦୟ ରୋଗୀଙ୍କ ପାଇଁ ଚାଲିବା ନିହାତି ଆବଶ୍ୟକ। ଚାଲିବା ଦ୍ଵାରା ରକ୍ତଚାପ, ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଚାଲିବା ଦ୍ୱାରା ଶରୀରର କ୍ୟାଲୋରୀ କମ୍‌ ହୋଇଥାଏ ଫଳରେ ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ। ପ୍ରତିଦିନ ଚାଲିବା ଫଳରେ ହାର୍ଟର ଫିଟ୍‌ନେସ୍‌ ବଢ଼ିଯାଏ, ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ହୃଦୟ ରୋଗୀମାନେ ଦିନକୁ ୩୫ ମିନିଟ୍‌ ଚାଲିବା ନିହାତି ଜରୁରୀ। ଏହାଛଡ଼ା ବଗିଚାରେ ଗଛ ଲଗାଇବା ଭଳି କାର୍ଯ୍ୟ କରନ୍ତୁ, ପାହାଚ ଚଢ଼ିବା ଆଦି କାର୍ଯ୍ୟକଳାପ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ।

ପ୍ରଥମ ଦିନରେ ଧୀରେ ଧୀରେ ଚାଲନ୍ତୁ ଓ ୧୫ ମିନିଟ୍‌ ପାଇଁ ଚାଲନ୍ତୁ। ଧୀରେ ଧୀରେ କରି ନିଜର ସ୍ପିଡ୍‌ ବଢ଼ାନ୍ତୁ ଓ ୩୫ ମିନିଟ୍‌ ଯାଏଁ ଚାଲନ୍ତୁ। ଯଦି ଚାଲିବା ବେଳେ ଛାତିରେ ଚାପ ପଡ଼ୁଛି ବା ଥକ୍କା ଲାଗୁଛି, ତେବେ ବିଶ୍ରାମ ନିଅନ୍ତୁ। ପୁଣି ଆସ୍ତେ ଆସ୍ତେ ଚାଲନ୍ତୁ। ସୁସ୍ଥ ହୃଦୟ ପାଇଁ ଚାଲିବା ନିହାତି ଜରୁରୀ।

ଖାଇସାରିବା ପରେ ଚାଲନ୍ତୁ ନାହିଁ। ସବୁବେଳେ ଖାଇବା ପୂର୍ବରୁ ଚାଲନ୍ତୁ।

ଧୂମପାନ କରନ୍ତୁ ନାହିଁ: ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ଧୂମପାନ ବନ୍ଦ କରିବା ନିହାତି ଜରୁରୀ। ଯଦି ଆପଣ ଧୂମପାନ କରନ୍ତି ନାହିଁ, ତେବେ ଆଉ କିଏ ଧୂମପାନ କଲାବେଳେ ସେ ଧୂଆଁ ସମ୍ପର୍କରେ ଆସନ୍ତୁ ନାହିଁ। ତମାଖୁରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ହୃଦୟ ଓ ରକ୍ତବାହୀକୁ ନଷ୍ଟ କରିପାରେ। ସିଗାରେଟ୍‌ ଧୂଆଁ ଆପଣଙ୍କ ରକ୍ତରେ ଥିବା ଅମ୍ଳଯାନ ହ୍ରାସ କରିଥାଏ, ଯାହା ଉଚ୍ଚ ରକ୍ତଚାପ ଓ ହୃଦସ୍ପନ୍ଦନକୁ ବଢ଼ାଇଥାଏ।

ସୁସ୍ଥ ଖାଦ୍ୟ ଖାଆନ୍ତୁ: ସୁସ୍ଥ ଖାଦ୍ୟ ଆପଣଙ୍କ ହୃଦୟକୁ ସୁରକ୍ଷିତ ରଖିବ। ସବୁଜ ପନିପରିବା, ଫଳ, କମ୍‌ ଚର୍ବିଯୁକ୍ତ ମାଛ, ଶସ୍ୟଜାତୀୟ ଖାଦ୍ୟ, ଅଲିଭ୍‌ ଅଏଲ ଆଦି ଖାଦ୍ୟରେ ସାମିଲ କରନ୍ତୁ। ଲୁଣ, ଚିନି, କାର୍ବୋହାଇଡେଟ୍ସଯୁକ୍ତ ଖାଦ୍ୟ, ଟ୍ରାନ୍ସ ଫ୍ୟାଟ୍‌, ମଦ, ଫାଷ୍ଟଫୁଡ୍‌, ସ୍ନାକ୍ସ ଭଳି ଖାଦ୍ୟଠାରୁ ଦୂରେଇ ରହନ୍ତୁ।

ଚାପ ମୁକ୍ତ ରହନ୍ତୁ: ଆଜିକାଲିର ଜୀବନଶୈଳୀ, କାର୍ଯ୍ୟ ବ୍ୟସ୍ତତା, ପରିବାରିକ ସମସ୍ୟା ଆଦି ମାନସିକ ଚାପ ବଢ଼ାଉଛି। ଯେତେ ସମ୍ଭବ ଏସବୁଠାରୁ ଦୂରେଇ ରହନ୍ତୁ। ଚାପକୁ ପରିଚାଳନା କରିବା ପାଇଁ ବ୍ୟାୟାମ, ମେଡିଟେସନ୍‌ ଆଦି କରନ୍ତୁ। ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ।

ନିୟମିତ ବ୍ୟବଧାନରେ ଚେକ୍‌ଅପ୍‌ କରାନ୍ତୁ: ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ କୋଲେଷ୍ଟ୍ରଲ ଆପଣଙ୍କ ହୃଦୟ ଏବଂ ରକ୍ତବାହୀକୁ ନଷ୍ଟ କରିପାରେ। ତେବେ ଏହିସବୁ ସମସ୍ୟା ନ ଜାଣିପାରିଲେ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିବ। ନିୟମିତ ସ୍କ୍ରିନିଂ କରିବା ଦ୍ୱାରା ଆପଣ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜାଣିପାରିବେ ଓ ଏଥିପାଇଁ ଚିକିତ୍ସା କରିପାରିବେ।

ନିୟମିତ ବ୍ୟବଧାନରେ ରକ୍ତଚାପ, କୋଲେଷ୍ଟ୍ରଲ ସ୍ତର, ଡାଇବେଟିସ୍‌ ଆଦିର ସ୍କ୍ରିନିଂ କରାଇ ନିଅନ୍ତୁ।

Comment