ଓଡ଼ିଶାଲାଇଭ୍‌ ବ୍ୟୁରୋ

ମରାମତି ବେଳେ ଭୁଶୁଡ଼ିଲା ପୋଲ। ଚାପି ହୋଇ ପ୍ରାଣ ହରାଇଲେ ଦୁଇ ଶ୍ରମିକ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛି। ସୁକତେଲ ନଦୀ ଉପରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଜି ବ୍ରିଜର ଗୋଟିଏ ପିଲାର ମରାମତି କାମ ଚାଲିଥିଲା। ଏହି ପିଲାରଟି ହିଁ ଭୁଶୁଡ଼ି ପଡ଼ିଥିଲା। ପିଲାର ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ।

ଏହି ପୋଲ ନିର୍ମାଣ କାମ ନିର୍ଦ୍ଧାରତ ପୂର୍ବରୁ ଶେଷ ହୋଇଥିଲା। ପୋଲ କାମ ବଲାଙ୍ଗୀର ରାମ କୁମାର ଅଗ୍ରୱାଲ ପ୍ରାଇଭେଟ୍‌ ଲିମଟେଡ୍‌ କମ୍ପାନି କରୁଥିଲା। ୨୦୧୪ ଜାନୁଆରି ୭ ତାରିଖରେ ପୋଲ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ୨୦୧୫ ଜୁଲାଇ ୩ ତାରିଖରେ ପୋଲ ନିର୍ମାଣ କାମ ଶେଷ ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ମାଣ କାମ ଶେଷ ହୋଇଥିବାରୁ କମ୍ପାନିକୁ ପୁରସ୍କୃତ କରାଯାଇଥିଲା।

ପୋଲ ନିର୍ମାଣ ଶେଷ ହେବାର କିଛି ମାସ ପରେ ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ପୋଲର ଅଧିକାଂଶ ସ୍ଥାନରେ ଫାଟ ଦେଖିବାକୁ ମିଳିଥିଲା। ବାରମ୍ବାର ଅଭିଯୋଗ ହେବା ପରେ ପୋଲ ମରାମତି କାମ କରୁଥିଲା ଏହି କମ୍ପାନି। ହେଲେ ମରାମତି କାମ ଚାଲିଥିଲା ବେଳେ ପିଲାରଟି ଭୁଶୁଡ଼ି ପଡ଼ିଥିଲା।

ଏହି ପୋଲ ନିର୍ମାଣ ପାଇଁ ୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତମିଆ ମୁଦଳସରକୁ ଯୋଗାଯୋଗ କରିବା ପାଇଁ ଏହି ପୋଲ ନିର୍ମାଣ କରାଯାଇଥିଲା। ହେଲେ ୪ ବର୍ଷ ଭିତରେ ପୋଲଟି ଭୁଶୁଡ଼ି ପଡ଼ିଛି। ଫଳରେ ଠିକା ସଂସ୍ଥାର କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୮ରେ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଏକ ନିର୍ମାଣାଧିନ ପୋଲ ଦୁଇ ଥର ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଉଠିଥିଲା ପଡ଼ିଥିଲା। ନିକଟରେ ଭୁବନେଶ୍ୱର ବିମାନର ବନ୍ଦରରେ ମଧ୍ୟ ଅଘଟଣ ଘଟିଥିଲା। ଏବେ ବଲାଙ୍ଗୀରର ପାଟଣାଗଡ଼ରେ ମରାମତି କାମ ଚାଲିଥିବା ବେଳେ ପୋଲ ଭୁଶୁଡ଼ିଯିବା ଫଳରେ ଠିକା କମ୍ପାନିର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଠି ଉଠିଛି।

Comment