ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଲକଡାଉନ ସମୟ ଆଉ ଦୁଇ ସପ୍ତାହ ବୃଦ୍ଧି  ଘୋଷଣା କରିଥିବା ବେଳେ ଦେଶର ସବୁ ଜିଲ୍ଲାକୁ ଯେଉଁ ଜୋନରେ ବିଭକ୍ତ କରାଯାଇଛି ସେ ନେଇ ରାଜ୍ୟ ସରକାରମାନେ ସ୍ପଷ୍ଟୀକରଣ ମାଗିଛନ୍ତି। ଅନେକ ରାଜ୍ୟ ଏହି ବର୍ଗୀକରଣର ସଂଶୋଧନ ଦାବି କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କହିବା କଥା ଯେ ଦିଲ୍ଲୀର କଣ୍ଟେନମେଣ୍ଟ ଜୋନକୁ ହିଁ ରେଡ଼ ଜୋନ ଘୋଷଣା କରିବା ଦରକାର ସମଗ୍ର ଜିଲ୍ଳା ନୁହେଁ। ଏଥିସହିତ ସେ କହିଛନ୍ତି ଯେ ଅନ୍ୟ ଇଲାକାରେ ଓ ଜିଲ୍ଲାରେ ଅର୍ଥନୈତିକ କାର୍ଯ୍ୟକଳାପ ତୁରନ୍ତ  ଆରମ୍ଭ କରାଯିବା ଦରକାର।

ସେହିଭଳି କର୍ଣ୍ଣାଟକ ସରକାର ମଧ୍ୟ ଜୋନ ଘୋଷଣାକୁ ନାପସନ୍ଦ କରିଛନ୍ତି। କର୍ଣ୍ଣାଟକ ସରକାର କହିଛନ୍ତି ଯେ ତାଙ୍କ ବର୍ଗୀକରଣ ଓ କେନ୍ଦ୍ରର ବର୍ଗୀକରଣ ଭିତରେ ବହୁ ଫରକ ରହିଛି। ବେଙ୍ଗାଳୁରୁ ରୁରାଲରେ କୌଣସି କରୋନା ମାମଲା ନଥିବା ବେଳେ କେନ୍ଦ୍ର ସରକାର ଏହାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗ ସରକାର ତ ଏନେଇ କେନ୍ଦ୍ର ସରକାରଙ୍କ ସହିତ ବରାବର ଝଗଡ଼ା କରି ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗର ୧୦ ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଥିବା ବେଳେ ମମତା ବାନାର୍ଜୀ କହୁଛନ୍ତି ତାଙ୍କ ରାଜ୍ୟରେ ରେଡ୍ ଜୋନ ଜିଲ୍ଲା ସଂଖ୍ୟା ୪ରୁ ଆଦୌ ଅଧିକ ନୁହେଁ।

Comment