ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା କରୁଥିବା ଓଡ଼ିଶାକୁ ଏବେ ବାତ୍ୟା ଭୟ ଘାରିଛି। ମୁକାବିଲା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି।

ଅବପାତର ରୂପ ନେଇଥିବା ଲଘୁଚାପ ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଏହା ଏବେ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ। ଆସନ୍ତାକାଲି ସନ୍ଧ୍ୟାରୁ ଉତ୍ତର ପୂର୍ବ ଦେଇ ଗତି କରିବ ବାତ୍ୟା ଅମ୍ଫାନ୍‌। ତେବେ ଅମ୍ଫାନ୍‌ କେଉଁଠି ମାଡ଼ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନି।

କୁହାଯାଉଛି ବାତ୍ୟା ଅମ୍ଫାନ୍‌ ଓଡ଼ିଶା ଉପକୂଳ ଦେଇ ଯିବ ଏବଂ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍‌ କରିବ। ୨୦ ତାରିଖ ଦିନ ବେଳା ହିଁ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତକାଲି ବାତ୍ୟାର ରୂପରେଖ ଏବଂ ଗତିବିଧି ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ୧୮ରୁ ବର୍ଷା

ଓଡ଼ିଶା ପ୍ରତି ସେମିତି ବିପଦ ନଥିବା ଭାରତୀୟ ପାଣିପାଗ ବିଭାଗ  ପକ୍ଷରୁ କୁହାଯାଇଛି। ଫନି ଭଳି ଏହାର ପ୍ରକୋପ ନାହିଁ। ହେଲେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଗତି କରିବାର ଥିବାରୁ ୧୮ ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୧୯ ତାରିଖରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜର କିଛି ଅଞ୍ଚଳରେ ବର୍ଷା ହେବ। ୨୦ରେ ଏହିସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

୧୯ରେ ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୦ରେ ଏହା ବଢ଼ି ୯୦ରୁ ୧୧୦ କିଲୋମିଟର ହେବ ବୋଲି ଆକଳନ କରାଯାଇଛି।

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି

ଗୋଟିଏ ପଟେ କରୋନା ଲଢ଼େଇ ଚାଲିଥିବା ବେଳେ ଏପଟେ ବାତ୍ୟା କବାଟ ବାଡ଼େଇଲାଣି। କରୋନା ସହ ବାତ୍ୟା ମୁକାବିଲା କରିବା ପାର୍ଇ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ବାତ୍ୟା ମୁକାବିଲା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌଭାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା ସେ କହିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

୧୨ଟି ଜିଲ୍ଲାକୁ ସତର୍କ

ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅମ୍ଫାନ ଯିବା ବେଳେ ୧୨ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଗଜପତି ଜିଲ୍ଲାରୁ ମୟୂରଭଞ୍ଜ ଜିଲ୍ଲା ଯାଏଁ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ୬୪୯ଟି ଗାଁର ୭ ଲକ୍ଷ ଲୋକ ପ୍ରଭାବିତ ହେବାର ଆକଳନ କରିଛନ୍ତି ରାଜ୍ୟ ସରକାର। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଲକ୍ଷ ଲକ୍ଷ ହେକ୍ଟରରେ ଚାଷ ହୋଇଥିବା ଡାଳୁଅ ଧାନ, ଡାଲି, ତୈଳବୀଜ ଫସଲ, କାଜୁ, ଆମ୍ବ, ନଡ଼ିଆ, ଅନ୍ୟାନ୍ୟ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।

୪୦୩ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ବାତ୍ୟା ଅମ୍ଫାନ୍‌ ଯେଉଁ ଜିଲ୍ଲାମାନଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି ସେସବୁ ଅଞ୍ଚଳରେ ୪୦୩ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ସେଥିମଧ୍ୟରୁ ୧୦୫ଟିକୁ ଅସ୍ଥାୟୀ କ୍ୱାରେଣ୍ଟିନ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଉଛି। ବାତ୍ୟାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଓଡ଼ିଶା ଫେରନ୍ତାଙ୍କ ଯୁଦ୍ଧକାଳୀନ ଭିତ୍ତିର କରୋନା ନମୁନା ପରୀକ୍ଷା ଚାଲିଛି। ଯେଉଁମାନଙ୍କର ନମୁନା ନେଗେଟିଭ୍‌ ଆସିବ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼୍ରାଫ, ଅଗ୍ନିଶମ ବାହିନୀ, ଏନଡିଆର୍‌ଏଫ୍‌ ଟିମ୍‌କୁ ମଧ୍ୟ ଜରୁରିକାଳୀନ ଉଦ୍ଧାର ଓ ରିଲିଫ୍ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବାତ୍ୟାରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହେବାର ଆଶଙ୍କା ଥିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment