ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ କରିବାର ଆଇନଗତ ବୟସ ହେଉଛି ୧୮ ବର୍ଷ ବାଲ୍ୟ ବିବାହ ଝିଅର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ସଠିକ ବୟସ ହୋଇନଥିବାରୁ ଗର୍ଭଧାରଣ କ୍ଷେତ୍ରରେ ଝିଅଙ୍କ ଜୀବନ ଯିବାର ଆଶଙ୍କା ରହିଥାଏ ୟୁନିସେଫମୀନାଆନିମେସନ ସିରିଜର ବାହା ହେବା ବୟସ ହେଲାଣିଅଧ୍ୟାୟରେ ସମାଜକୁ ଏହି ବାର୍ତ୍ତା ଦିଆଯାଇଛି

ବାଲ୍ୟ ବିବାହ ଉଭୟ ପୁଅ ଓ ଝିଅଙ୍କ ଉପରେ କୁପ୍ରଭାବ ପାକାଇଥାଏ। ହେଲେ ଏହା ଝିଅଙ୍କ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ଝିଅମାନଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ। କମ ବୟସରେ ଝିଅମାନେ ଗର୍ଭଧାରଣ କରିବାର କ୍ଷମତା ନଥାଏ। ଫଳରେ ଅବେଳାରେ ଝିଅଙ୍କ ମୃତ୍ୟୁ ହୋଇଥାଏ। ତେଣୁ ବାଲ୍ୟ ବିବାହ ଆମ ସମାଜ ପାଇଁ କ୍ଷତିକାରକ। ୟୁନିସେଫ ‘ମୀନା’ ଆନିମେସନ ସିରିଜର ଏହି ଅଧ୍ୟାୟରେ ବାଲ୍ୟ ବିବାହ ପ୍ରଥାକୁ ବିରୋଧ କରାଯିବା ସହ ସମାଜକୁ ସଠିକ ଦିଗ ଦେଖାଇଛି।

ଏହି ଅଧ୍ୟାୟରେ ମୀନାର ସାଙ୍ଗ ରିତାର ବାହାଘର ଠିକ ହୋଇଯାଇଛି। ହେଲେ ରିତାର ବୟସ ମାତ୍ର ୧୫ ବର୍ଷ। ଭଲ ପାତ୍ର ହୋଇଥିବାରୁ ଘରେ ବାହାଘରରେ ରାଜି। କିନ୍ତୁ ରିତା ଆହୁରି ପାଠ ପଢ଼ିବାକୁ ଚାହେଁ। ଏଣେ ବିବାହ କରିବାର ବୟସ ହେଉଛି ୧୮ ବର୍ଷ। ତେଣୁ ରିତା ସହ ମିଶି ମୀନା ତାଙ୍କ ଘରେ ଏହି କଥାକୁ ଭଲ ଭାବରେ ବୁଝାଇଦେଇଛି। ଫଳରେ ରିତାର ବାହାଘର ୩ ବର୍ଷ ଘୁଞ୍ଚିଯିବା ସହ ତାକୁ ପାଠ ପଢ଼ିବା ପାଇଁ ମଧ୍ୟ ସମୟ ମିଳିଯାଇଛି।

ବିବାହ କରିବାର ଆଇନଗତ ବୟସ ହେଉଛି ୧୮ ବର୍ଷ। ଏହା ପୂର୍ବରୁ ବିବାହ କରାଇବା ଆଇନ ଅନୁଯାୟୀ ଅପରାଧ। ବାଲ୍ୟ ବିବାହ ଝିଅର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ବିବହାର ସଠିକ ବୟସ ହୋଇନଥିବାରୁ ବାଲ୍ୟବଧୂଙ୍କ ଜୀବନ ଯିବାର ଆଶଙ୍କା ରହିଥାଏ। ‘ବାହା ହେବା ବୟସ କ’ଣ ହେଲାଣି’ ଅଧ୍ୟାୟରେ ସମାଜକୁ ଏହି ବାର୍ତ୍ତା ଦିଆଯାଇଛି।

ମୀନା – କେମିତି  କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment