ଓଡ଼ିଶାଲାଇଭ୍ ବ୍ୟୁରୋ

martyred bipul roy

“ରୁହ ମାଆ, ବାପାଙ୍କୁ ତ ଆସିବାକୁ ଦିଅ” କହିଚାଲିଥିଲା ପାଞ୍ଚ ବର୍ଷର ଝିଅ ତମନ୍ନା। ସ୍ୱାମୀଙ୍କ ସହିଦ ଖବର ଶୁଣି ଭାଙ୍ଗି ପଡ଼ିଥିବା ପତ୍ନୀ ରୁମ୍ପା ରଏ ଯେତେବେଳେ ସାହସ ଗୋଟାଇ ଘରକୁ ଫେରିବା ପାଇଁ ବ୍ୟାଗ୍ ସଜାଡ଼ୁଥିଲେ, ସେବେ ଝିଅ ତମନ୍ନାର ଏହି କଥା ଶୁଣି ପୁଣି ଭାଙ୍ଗି ପଡ଼ିଲେ। ସହିଦ ବିପୁଲ ରଏଙ୍କ ଆସିବା ବାଟକୁ ଚାହିଁ ରହିଛି ଝିଅ ତମନ୍ନା ରଏ।

ଗତ ସୋମବାର ଲଦାଖ ଗଲଓ୍ୱାନ ହିଂସାରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ବୀର ଯବାନ ବିପୁଲ ରଏ। ପଶ୍ଚିମବଙ୍ଗର ଜଲପାଇଗୁଡ଼ିସ୍ଥିତ ଅଲିପୁରଦ୍ୱାରରେ ବିପୁଲଙ୍କ ଘର। ହେଲେ ତାଙ୍କର ପୋଷ୍ଟିଂ ମେରଠରେ ହୋଇଥିଲେ। ତେଣୁ ନିଜ ପତ୍ନୀ ରୁମ୍ପା ରଏ ଏବଂ ଝିଅ ତମନ୍ନା ରଏଙ୍କ ସହ ମେରଠର କଙ୍କରଖେଡ଼ାସ୍ଥିତ କୁନ୍ଦନ କୁଞ୍ଜ କଲୋନୀରେ ରହୁଥିଲେ ସେ। ଗତ ନଅ ମାସ ତଳେ ଲଦାଖ ଯିବା ପୂର୍ବରୁ ପତ୍ନୀ ଓ ଝିଅଙ୍କ ପାଇଁ ଏହି ଘର ଠିକ୍ କରିଦେଇଯାଇଥିଲେ। ଘର ମାଲିକ କହିଛନ୍ତି ଯେ ସେଠାରେ ବହୁତ ବରଫ ପଡ଼ୁଥିବାରୁ ବିପୁଲ ଆଉଥରେ ଫେରିଆସିଥିଲେ। ତିନି ମାସ ହେବ ସେ ପୁଣି ଡ୍ୟୁଟି ଜଏନ୍ କରିଥିଲେ।

martyred bipul roy-2

ମଙ୍ଗଳବାର ରାତି ସାଢ଼େ ଏଗାରଟା ବେଳେ  ଲଦାଖର ସିଓ ବିପୁଲ ଙଅକ ପତ୍ନୀଙ୍କୁ କଲ୍ କରିଥିଲେ। କଲ୍ ଦେଖି ହଠାତ୍ ଡରି ଯାଇଥିଲେ ରୁମ୍ପା। ସିଓ ଘରର କୌଣସି ଗୁରୁଜନଙ୍କ ସହ କଥା ହେବାକୁ ଚାହିଁଥିଲେ। ଏହାପରେ ରୁମ୍ପା ନିଜ ଘର ମାଲିକଙ୍କ ଫୋନ୍ ଧରାଇଥିଲେ। ଘରମାଲିକଙ୍କୁ ବିପୁଲଙ୍କ ସହିଦ ହେବା ଖବର ଦିଆଯାଇଥିଲେ ମଧ୍ୟ ସେ ସେହି ସମୟରେ ରୁମ୍ପାଙ୍କୁ କିଛି ଜଣାଇନଥିଲେ। ହେଲେ ମଙ୍ଗଳବାର ରାତିଯାକ ରୁମ୍ପା ବହୁତ ଚିନ୍ତିତ ଥିଲେ। ବୁଧବାର ସକାଳେ ଯେତେବେଳେ ମିଡିଆ କର୍ମଚାରୀ ତଥା ଅନ୍ୟ ଲୋକଙ୍କ ଗହଳି ଆରମ୍ଭ ହେଲା ସେବେ ସ୍ୱାମୀଙ୍କ ସହିଦ ଖବର ଜାଣିବାକୁ ପାଇଲେ। ଏହି ଖବର ଶୁଣି ଚେତା ହରାଇ ବସିଥିଲେ ପତ୍ନୀ ରୁମ୍ପା।

ଏହାପରେ ଡିଏମ୍ ଅନୀଲ ଢ଼ିଙ୍ଗରୀ ଏବଂ ଏସ୍.ଏସ୍.ପି ଅଜୟ ସାହନୀ ସହିଦ ବିପୁଲଙ୍କ ଘରେ ପହଞ୍ଚି ପରିବାରକୁ ଆଶ୍ୱାସନା ଦେଇଥିଲେ। କିଛି ସମୟ ପରେ ସେନା କର୍ମଚୀରୀଙ୍କ ଦ୍ୱାରା ପରିବାରକୁ ଦିଲ୍ଲୀ ଅଣାଯାଇଥିଲା। ଏଠାରୁ ସହିଦଙ୍କ ପତ୍ନୀ ଏବଂ ଝିଅକୁ ପଶ୍ଚିମ ବଙ୍ଗ ପଠାଇଦିଆଗଲା।

martyred bipul roy-3

ସେପଟେ ସହିଦଙ୍କ ଜନ୍ମଭୂମିରେ ରେ ଏହି ଖବର ଶୁଣି କାନ୍ଦ ବୋବାଳିରେ ଫାଟି ଉଠିଛି ଗାଁ ମାଟି ବିନ୍ଦିପଦା। ବୁଧବାର ଦିନ ସହିଦ ବିପୁଲଙ୍କ ବାପା ନିରେନ ରଏଙ୍କୁ ମିଳିଥିଲା ପୁଅର ମୃତ୍ୟୁର ଖବର। ବିପୁଲଙ୍କ ମାଆ ଶଯ୍ୟାଶାୟୀ। ତାଙ୍କୁ ପୁଅର ମୃତ୍ୟୁଖବର ବିଷୟରେ କିଛି କୁହାଯାଇନଥିଲା।

୨୦୦୫ରେ ବିପୁଲ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହି ହିଂସାରେ ପ୍ରାଣ ହରାଇଥିଲେ ଭାରତର କୋଡ଼ିଏ ଜଣ ଯବାନ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ପାଞ୍ଚ ଲକ୍ଷ ପୂରଣ ସହ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଦେଶ ପାଇଁ ଜୀବନ ଦେଇ ସବୁଦିନ ପାଇଁ ଅମର ହୋଇ ରହିଗଲେ ମେରଠ ତଥା ଅଲିପୁରଦ୍ୱାରର ବୀର ପୁତ୍ର ବିପୁଲ ରଏ।

Comment