ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ଆଲୋଚନା ପରେ ବି ସୁଧୁରୁନି ଚୀନ। ବିବାଦୀୟ ସ୍ଥାନରୁ ସେନାକୁ ପଛକୁ ନେବା ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହେବା ପରେ ବି ଚୀନ ସଂଘର୍ଷ ପାଇଁ ଉସକାଉଛି। ଗଲଓ୍ୱାନ ଘାଟିର ପେଟ୍ରୋଲିଙ୍ଗ୍‌ ପଏଣ୍ଟ ୧୪ ନିକଟରେ ଚୀନ ଆଉ ଏକ ଟେଣ୍ଟ ଲଗାଇଥିବା ସାଟେଲାଇଟ ଫଟୋରୁ ଜଣାପଡ଼ିଛି। ଟେଣ୍ଟ ବ୍ୟତୀତ ସେଠାରେ ବହୁ ସଂଖ୍ୟକ ବଙ୍କର ନିର୍ମାଣ ହୋଇଥିବା ମଧ୍ୟ ଦେଖାଯାଉଛି। ଏଲଏସିରେ  ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି  ଭାରତ ମଧ୍ୟ ନିଜ ଗତିବିଧି ବଢାଇ ଦେଇଛି।

ଗଲଓ୍ୱାନ ବ୍ୟତୀତ ଡେପସିଙ୍ଗରେ ମଧ୍ୟ ଚୀନ ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସେନାଙ୍କର ପେଟ୍ରୋଲିଙ୍ଗରେ ବାଧା ସୃଷ୍ଟି କରୁଛି ଚୀନ। ୨୦୧୩ରେ ମଧ୍ୟ ଏହି ସ୍ଥାନରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଚୀନରେ ୨୫ ଦିନ ପର୍ଯ୍ୟନ୍ତ ଏଠାରେ ଏକ ଟେଣ୍ଟ ଲଗାଇଥିଲା। ଏହାପରେ ଦୁଇ ଦେଶ ଭିତରେ ଅନେକ ଆଲୋଚନା ହେବା ପରେ ଚୀନ ଏଠାରୁ ହଟିଥିଲା।

୧୫ ଜୁନ୍‌ ରାତିରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଦୁଇ ଦେଶର ସେନା ସେହି ବିବାଦୀୟ ସ୍ଥଳରୁ ହଟିବା ପାଇଁ ନାରାଜ ଥିଲେ। ଜୁନ୍‌ ୨୨ରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହେବା ପରେ  ସେନା ପଛକୁ ହଟିବାକୁ ରାଜି ହୋଇଥିଲେ। ବୁଝାମଣାର ମାତ୍ର ୨ ଦିନ ପରେ ଚୀନ ପୁଣି ତା’ର ସ୍ୱଭାବ ଆରମ୍ଭ କରିଛି।

Comment