ଓଡିଶାଲାଇଭ୍ ବ୍ୟୁରୋ

ବହୁ ଦିନର ପ୍ରତୀକ୍ଷା ପରେ ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍‌ହାର ୭୦.୨୧ ପ୍ରତିଶତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପାସ୍ କରିଛନ୍ତି। ଗତବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରମାନେ ଛାତ୍ରୀଙ୍କୁ ପଛରେ ପକାଇଛନ୍ତି। ଏବର୍ଷ ଛାତ୍ର ପାସ୍‌ହାର ୩୯ ପ୍ରତିଶତ ଥିବା ବେଳେ ଛାତ୍ରୀ ପାସ୍‌ହାର ୩୧ ପ୍ରତିଶତ ରହିଛି। ଏଥର ୩୮,୩୦୧ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦,୦୭୩ ଜଣ ଛାତ୍ରୀ ପାସ୍ କରିଛନ୍ତି। ଗତବର୍ଷ ୪୧ ପ୍ରତିଶତ ଛାତ୍ର ଓ ୩୧ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏବର୍ଷ ୨୫,୩୩୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ୨୪,୧୨୧ ଜଣ ଦ୍ଵିତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧୮,୨୬୦ ଜଣ ପାସ୍ କରିଛନ୍ତି। ଏଥର ୧୩୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୬.୫୧ ପ୍ରତିଶତ ପାସ୍‌ହାର ରହିଛି। ସେହିପରି ଝାରସୁଗୁଡ଼ାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପିଲା ପାସ୍ କରିଛନ୍ତି।

ଚଳିତବର୍ଷ ୨୦ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୧୫ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି। ଶୂନ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକୁ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବ। ଏଥିସହ ସମ୍ପୃକ୍ତ ସ୍କୁଲର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଯୁକ୍ତ ଦୁଇ ଆଡମିସନ ପାଇଁ ଅଗଷ୍ଟ ୨୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍‌ସ ସେଣ୍ଟର ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ କରିହେବ। ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିପରି ଚଳିତବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି’ କମାଇଦେଇଥିବା ମନ୍ତ୍ରୀ କହିଛନ୍ତି। ପୂର୍ବ ନିର୍ଦ୍ଧାରିତ ଫି’ରୁ ଶହେ ଟଙ୍କା ହ୍ରାସ କରାଯାଇଛି। ଏବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ଦୁଇ ଶହ ଟଙ୍କା ଏବଂ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଛାତ୍ରଛାତ୍ରୀମାନେ www.orissaresults.nic.in ଓ୍ଵେବ୍‌ସାଇଟ୍‌ରେ ନିଜର ପରୀକ୍ଷା ଫଳ ଜାଣିପାରିବେ।

Comment