ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଥିବା କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ୍ ଏବଂ ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)କୁ ଆଦୌ ରୋଗୀ ଆସୁନାହାନ୍ତି। ଆଉ କିଛି ସେଣ୍ଟରକୁ ଅଳ୍ପ କିଛି ପରିମାଣରେ ରୋଗୀ ଆସୁଛନ୍ତି। କୋଭିଡ ରୋଗୀମାନେ ହୋମ୍‌ ଆଇସୋଲେନରେ ରହିବାକୁ ପସନ୍ଦ କରୁଛନ୍ତି। ଏଣୁ ଏହି ସବୁ ସେଣ୍ଟରଗୁଡ଼ିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସୋମବାର ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମର କମିଶନରଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ଚିଠି ଲେଖିଥିବା ସୂଚନା ମିଳିଛି।

କରୋନା ମୁକାବିଲା ପାଇଁ ରାଜ୍ୟରେ ଥିବା କୋଭିଡ କେୟାର ହୋମ୍(ସିସିଏଚ୍) ଏବଂ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି)ରେ ରୋଗୀମାନଙ୍କ ଆସିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଏହି କେନ୍ଦ୍ର ସବୁକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କୋଭିଡ କେୟାର ସେଣ୍ଟର(ସିସିସି)କୁ ମଧ୍ୟ ରୋଗୀମାନଙ୍କ ଆସିବା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ ସେଗୁଡ଼ିକ ଯେବେ ସଂପୂର୍ଣ୍ଣ ଖାଲି ହୋଇଯିବ, ସେସବୁକୁ ବନ୍ଦ କରିଦିଆଯିବ।

ଏହି ସେଣ୍ଟରଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ତାଙ୍କ ପୂର୍ବ କାର୍ଯ୍ୟସ୍ଥଳୀକୁ ପଠାଇ ଦିଆଯିବ। ସେହିପରି କୋଭିଡ କେୟାର ହୋମ୍‌ରେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ସ୍ଵାସ୍ଥ୍ୟ କର୍ମଚାରୀମାନଙ୍କୁ ଆବଶ୍ୟକ ଅନୁସାରେ ବିଭିନ୍ନ ଜିଲ୍ଲାର ଜରୁରିକାଳୀନ ସ୍ଵାସ୍ଥ୍ୟସେବା ପାଇଁ ନିୟୋଜିତ କରାଯିବ।BGUଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏହି ସବୁର ପରିଚାଳନା କରି ପ୍ରତିଦିନ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କୁ ରିପୋର୍ଟ ଦେବାକୁ ଚିଠିରେ କୁହାଯାଇଛି। ତେବେ ଯେଉଁ ସ୍ଥାନମାନଙ୍କରେ ଏଭଳି ସେଣ୍ଟରର ପୁନଃ ଆବଶ୍ୟକ ହେବ, ଜରୁରିକାଳୀନ ଭିତ୍ତିରେ ସରକାରଙ୍କ ପକ୍ଷରୁ ଏହାର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ଚିଠିରେ ସୂଚନା ଦେଇଛନ୍ତି।

Comment