ଓଡ଼ିଶାଲାଇଭ୍‌ ବ୍ୟୁରୋ

home isolation-2

  • ଭୁବନେଶ୍ୱରରେ ବଢ଼ୁଛି ହୋମ୍‌ ଆଇସୋଲେସନ ସଂଖ୍ୟା
  • ୭୪ ପ୍ରତିଶତ କରୋନା ରୋଗୀ ଘରେ ଚିକିତ୍ସିତ
  • ଘରୋଇ ହସ୍ପିଟାଲରେ ୪୪୫ଟି ଆଇସିୟୁ ବେଡ୍‌, ୨୫୦୦ ସାଧାରଣ ବେଡ୍‌ ଏବେ ଉପଲବ୍ଧ

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ସୁଦ୍ଧା ୪୨୧୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏମାନଙ୍କ ମଧ୍ୟରୁ ୭୪ ପ୍ରତିଶତ ହୋମ୍‌ ଆଇସୋଲେସନ ରହି ଚିକିତ୍ସିତ ହେଉଛନ୍ତି।

ଏହାର ଅର୍ଥ ରାଜଧାନୀରେ କରୋନା ଲକ୍ଷଣ ନଥିବା/ କମ୍‌ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ। ତେଣୁ ଏବେ ଅଧିକରୁ ଅଧିକ ଆକ୍ରାନ୍ତ ହୋମ୍‌ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।

‘‘ଭୁବନେଶ୍ୱର ଏମିତି ସହର, ଯେଉଁଠି ଅଧିକରୁ ଅଧିକ ଲୋକ କରୋନା ପରୀକ୍ଷା କରିବାକୁ ଆଗ୍ରହ ଦେଖାଉଛନ୍ତି। ଏହାସହ ଗୃହ ପୃଥକବାସଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କିଛି ଦିନ ତଳେ ହୋମ୍‌ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ପ୍ରତିଶତ ଥିବା ବେଳେ ଏବେ ଏହା ୭୪ ପ୍ରତିଶତ ରେ ପହଞ୍ଚିଛି। ‌ଗତ ୫ଦିନରେ ଏହା ୯୫.୪୪ ପ୍ରତିଶତକୁ ବଢ଼ିଛି। ତେଣୁ ସେମାନଙ୍କୁ ଯେପରି ଗୁଣାତ୍ମକ ଚିକିତ୍ସା ମିଳିବ ସେଥିପାଇଁ ମୋଟ୍‌ ୫୪ଟି ଆରଆର୍‌ଟି କାମ କରୁଥିବା ବେଳେ ପ୍ରତି ୱାର୍ଡରେ ୧୮ଟି ଲେଖାଏଁ ରାପିଡ୍‌ ରେସ୍ପନ୍ସ ଟିମ୍‌ କାମ କରୁଛନ୍ତି’’, କହିଥିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ।

ସେ ଆହୁରି ମଧ୍ୟ କହିଥିଲେ,‘‘୧୯୨୯ ନମ୍ବରରେ ଫୋନ୍‌ କରି ଲୋକେ ପରାମର୍ଶ ନେଉଛନ୍ତି। ୧୫ ଦିନ ହେଲା ଏଥିରେ ୨୪ଘଣ୍ଟିଆ ପରାମର୍ଶ ସେବା ଓ ଅଭିଯୋଗ ଗ୍ରହଣ କରାଯାଉଛି। ପୂର୍ବରୁ ବସ୍ତି ଅଞ୍ଚଳକୁ ଅଧିକ ଫୋକସ୍‌ କରାଯାଉଥିବା ବେଳେ ଏବେ ଅଣବସ୍ତି ଅଞ୍ଚଳରେ ଯେପରି କେହି କରୋନା ଆକ୍ରାନ୍ତ ନରହିବେ, ଯେପରି କୌଣସି ଲୋକର ଲକ୍ଷଣ ଦେବା କ୍ଷଣି ସେ କରୋନା ପରୀକ୍ଷା କରିବେ, ସେଥିପାଇଁ ୨୦ଟି ଅଣବସ୍ତି ଅଞ୍ଚଳରେ ୨୧୦ଟି ସର୍ଭେଲାନ୍ସ ଟିମ୍‌ କରୁଛନ୍ତି’’।

ରାଜଧାନୀରେ ଯେପରି କରୋନା କଟକଣା ‌ସମସ୍ତେ କଡ଼ାକଡ଼ି ମାନିବେ, ସେଥିପାଇଁ ଜରିମାନା ଆଦାୟ କଡ଼ାକଡ଼ି କରାଯାଇଛି। ଘରୋଇ ହସ୍ପିଟାଲରେ ୪୪୫ଟି ଆଇସିୟୁ ବେଡ୍‌, ୨୫୦୦ ସାଧାରଣ ବେଡ୍‌ ଏବେ ଉପଲବ୍ଧ ଅଛି। ଘରୋଇ ହସ୍ପିଟାଲ ଯେପରି ଉପଯୁକ୍ତ ଚିକିତ୍ସା ଦେବେ ସେଥିପାଇଁ ସ୍କ୍ୱାଡ୍‌ ଯାଞ୍ଚ କରିବେ। ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲରେ ୩୮୦୭ଟି ଶଯ୍ୟା ଥିବା ବେଳେ ୪୪୨ଟି ଆଇସିୟୁ ଓ ଏଚ୍‌ଡିୟୁ, ୧୬୫ଟି ଭେଣ୍ଟିଲେଟର ଅଛି।

କୋଭିଡ ନିୟନ୍ତ୍ରଣ ପାଇଁ ସାମଜିକ ଦୂରତା, ମାସ୍କ ଏବଂ ହାତ ଧୋଇବା ସହିତ ସ୍ୱଚ୍ଛତା ଭଳି ଆଚରଣକୁ ଅନୁସରଣ କରିବା ପାଇଁ କମିସନର୍ ଲୋକଙ୍କୁ ଅନୁରୋଧ କରିଛନ୍ତି।

Comment