ଡକ୍ଟର ମୃଣାଳ ଚାଟାର୍ଜୀ

ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ହୋଇଥିଲା ୧୯୨୦  ମସିହା ୨୬ ସେପ୍ଟେମ୍ବର, ବର୍ତ୍ତମାନ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ବିରସିଙ୍ଘ ଗାଁର ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ। ନିଜର ତୀକ୍ଷ୍ଣ ମେଧା ଓ ଅଧ୍ୟବ୍ୟସାୟ ବଳରେ ସେ ମାତ୍ର ୨୧ ବର୍ଷରେ ସଂସ୍କୃତ କଲେଜର ଅଧ୍ୟାପକ ହୋଇ ପାରିଥିଲେ। ମାତ୍ର ୩୧ ବର୍ଷ ବୟସରେ ସେ ସଂସ୍କୃତ କଲେଜର ଅଧ୍ୟକ୍ଷ ହୋଇଥିଲେ।

୫ଟି କାରଣ ପାଇଁ ବିଦ୍ୟାସାଗରଙ୍କୁ ଦେଶ ମନେ ରଖିଛି –

ପ୍ରଥମ: ଦେଶରେ ବିଧବା ବିବାହ ପ୍ରଚଳନ

ଦ୍ୱିତୀୟ: ନାରୀ ଶିକ୍ଷାକୁ ପ୍ରୋତ୍ସାହନ

ତୃତୀୟ: ବହୁ ବିବାହ ବନ୍ଦ ଆଦି ବହୁ ସାମାଜିକ ସଂସ୍କାର

ଚତୁର୍ଥ: ଶିକ୍ଷା କ୍ଷେତ୍ରରେ ସଂସ୍କାର

ପଞ୍ଚମ: ବଙ୍ଗଳା ଲିପିରେ ସଂସ୍କାର ଏବଂ ଆଧୁନିକ ଗଦ୍ୟ ଶୈଳୀର ଆରମ୍ଭ

ଏସବୁକୁ ନେଇ ସେ ବଙ୍ଗ ପ୍ରଦେଶରେ ଏକ ନବଯୁଗ(ରେନେସା) ଆଣିଥିଲେ। ୫ଟି ଯାକ କ୍ଷେତ୍ରରେ ତାଙ୍କର ଭୂମିକା ପାଇଁ ସେ ସ୍ମରଣୀୟ ହୋଇ ରହିଛନ୍ତି। ଏ ୫ଟି ଯାକ କ୍ଷେତ୍ରରେ ତାଙ୍କୁ କିନ୍ତୁ କଠୋର ବିରୋଧର ସମ୍ମୁଖୀନ ହେବା ପାଇଁ ପଡ଼ିଥିଲା।

ଅଳ୍ପ ବୟସରେ, ମାତ୍ର ୩୧ ବର୍ଷରେ (୧୮୫୧ ମସିହା) ସେ ଯେତେବେଳେ ସଂସ୍କୃତ କଲେଜର ଅଧ୍ୟକ୍ଷ ହୁଅନ୍ତି ଏବଂ ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବାକୁ ଚାହାଁନ୍ତି, ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼େ। ସେତେବେଳେ କେବଳ ବ୍ରାହ୍ମଣମାନେ ସଂସ୍କୃତ ପଢ଼ୁଥିଲେ। ପ୍ରଥମ କରି ବିଦ୍ୟାସାଗର ଅନ୍ୟ ଜାତିର ଲୋକଙ୍କ ପାଇଁ ଦ୍ୱାର ଖୋଲିଦେଲେ। ଏଥିପାଇଁ ତାଙ୍କୁ ବ୍ରାହ୍ମଣ ସମାଜ ଘୋର ବିରୋଧ କରିଥିଲା।ବିଧବା ବିବାହ ଓ ନାରୀ ଶିକ୍ଷା-ଏ ଦୁଇଟି କ୍ଷେତ୍ରରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଛି। ସେ ସମୟରେ ରୂଢ଼ିବାଦୀ ସମାଜରେ ବିଧବାମାନେ ବଡ଼ କଷ୍ଟରେ ଜୀବନ କଟାଉଥିଲେ। ସେମାନଙ୍କୁ ବିଭିନ୍ନ ବାଟରେ, ବିଭିନ୍ନ ଆଳରେ ଅତ୍ୟାଚାର କରାଯାଉଥିଲା, ମଣିଷ ଭାବରେ ସେମାନଙ୍କର ସ୍ଥିତି ନ ଥିଲା। ବିଦ୍ୟାସାଗର ଯେତେବେଳେ ବିଧବା ବିବାହ କଥା କହିଲେ, ପଣ୍ଡିତମାନେ ଶାସ୍ତ୍ରରେ ଏପରି ବିଧାନ ନଥିବା ଦର୍ଶାଇଥିଲେ। ବିଦ୍ୟାସାଗର କିନ୍ତୁ ଶାସ୍ତ୍ରାର୍ଥରେ ଥିଲେ ପାରଙ୍ଗମ। ପରାଶରସଂହିତା ଶ୍ଳୋକରୁ ଉଦ୍ଧାର କରି ଦେଖାଇଥିଲେ ଯେ, ଆମ ଶାସ୍ତ୍ରରେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ପରିସରରେ ବିଧବା ବିବାହ ରହିଛି। ଶାସ୍ତ୍ରରେ ହାରିଯାଇ ପଣ୍ଡିତମାନେ ଏହା ସାମାଜିକ ରୀତିର ବିରୋଧ ଦର୍ଶାଇ ଜନମତ ସଂଗ୍ରହ କରିଥିଲେ।

ବିଦ୍ୟାସାଗରଙ୍କୁ ବ୍ୟଙ୍ଗ ବିଦ୍ରୁପ କରିଥିଲେ। ତାଙ୍କ ବିରୋଧରେ କଲିକତା ରାସ୍ତାରେ ଆନ୍ଦୋଳନ କରାଇଥିଲେ। ଆକ୍ରମଣ ପାଇଁ ମଧ୍ୟ ଯୋଜନା କରାଯାଇଥିଲା। ଅବସ୍ଥା ଏମିତି ହେଲା, ବିଦ୍ୟାସାଗରଙ୍କ ବାପା ତାଙ୍କର ସୁରକ୍ଷା ପାଇଁ ଗାଁରୁ ଜଣେ ଦେହରକ୍ଷୀଙ୍କୁ ପଠାଇଥିଲେ। ଏହାସତ୍ତ୍ୱେ ମଧ୍ୟ ବିଦ୍ୟାସାଗର ଥିଲେ ନଛୋଡ଼ବନ୍ଧା। ଏ ସମୟରେ ସମାଜର ମଙ୍ଗୁଆଳମାନେ ଥିଲେ ତାଙ୍କ ବିରୋଧରେ। ବିଦ୍ୟାସାଗର ସରକାରଙ୍କୁ ଦସ୍ତଖତ ସମ୍ବଳିତ ଏକ ପିଟିସନ ପଠାଇଥିଲେ। ତାଙ୍କ ବିରୋଧୀମାନେ ୪ଗୁଣ ଅଧିକ ଦସ୍ତଖତ ସମ୍ବଳିତ ପିଟିସନ ପଠାଇଥିଲେ।

ଏ ବିରୋଧର ନେତୃତ୍ୱ ନେଇଥିଲେ ଧର୍ମସଭା ଏବଂ ରାଧାକାନ୍ତ ଦେବ। ବିଦ୍ୟାସାଗର ତତ୍କାଳୀନ ଇଂରେଜ ଶାସକମାନଙ୍କୁ ବିଧବା ବିବାହର ଆବଶ୍ୟକତା ସମ୍ପର୍କରେ ଯୁକ୍ତି କଲେ। ପରେ ଲର୍ଡ ଡେଲହାଉସ ହିନ୍ଦୁ ବିଧବା ବିବାହ ଆଇନ୍‍ର ଖସଡ଼ା ଘୋଷଣା ପ୍ରସ୍ତୁତ କରିଥିଲେ। ଲର୍ଡ କ୍ୟାନିଙ୍କ ସମୟରେ ଏହା ପାରିତ ହୋଇଥିଲା। ଲର୍ଡ ୱିଲିୟମ ବେଣ୍ଟିଂଙ୍କ ଦ୍ୱାରା ୧୮୨୯ରେ ସତୀଦାହ ପ୍ରଥା ଉଚ୍ଛେଦ ପରେ ଏହା ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ପ୍ରଥମ ସାମାଜିକ ସଂସ୍କାର ମୂଳକ ଆଇନ୍‍।

ଆଇନ୍‍ ପାସ ହେବା ଏବଂ ସମାଜିକ ସ୍ତରରେ ଗ୍ରହଣଶୀଳ ହେବା-ଏହା ଭିତରେ ଯୋଜନ ଯୋଜନ ଦୂରତ୍ୱ। ହେଲେ ଏହି ଆଇନ୍‍କୁ କାର୍ଯ୍ୟକାରୀ କରିବାରେ ବିଦ୍ୟାସାଗର ଆପ୍ରାଣ ଚେଷ୍ଟା କରିଥିଲେ। ନିଜ ଉଦ୍ୟମରେ, ପଇସା ଖର୍ଚ୍ଚ କରି ବହୁ ବିଧବାଙ୍କର ବିବାହ ସମ୍ପନ୍ନ କରାଇଥିଲେ। ନିଜର ଏକମାତ୍ର ପୁଅ ନାରାୟଣ ବନ୍ଦୋପାଧ୍ୟାୟଙ୍କର ମଧ୍ୟ ବିଧବାଙ୍କ ସହ ବିବାହ କରାଇଥିଲେ। ପରିବାର ଲୋକେ ଏଥିରେ ରାଜି ନ ଥିଲେ। ବିରୋଧ ସତ୍ତ୍ୱେ ସେ ତାହା କରାଇ ଦେଖାଇଥିଲେ।ନାରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିଦ୍ୟାସାଗର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହା ସାମାଜିକ ରୀତିର ବିରୋଧୀ, ନାରୀ ଶିକ୍ଷିତ ହେଲେ ଘର ଭାଙ୍ଗିଯିବ, ନାରୀ ଶିକ୍ଷିତ ହେଲେ ବିଧବା ହୋଇଯିବ, ଏପରି ନାନା କଥା ଏବଂ ଗୁଜବ ରଚନା କରି ବିରୋଧ କରାଯାଉଥିଲା। ବଦ୍ଧପରିକର ବିଦ୍ୟାସାଗର କିନ୍ତୁ ନାରୀ ଶିକ୍ଷା ପାଇଁ ଲାଗି ପଡ଼ିଥିଲେ। ସେ ଇନସପେକ୍ଟର ଅଫ୍‍ ସ୍କୁଲ ଥିଲା ବେଳେ ବଙ୍ଗଳାରେ ପାଖାପାଖି ୨୯ଟି ବାଳିକା ସ୍କୁଲ ସ୍ଥାପନା କରିଥିଲେ। କଲିକତାରେ ପ୍ରଥମ ବାଳିକା ସ୍କୁଲ ସ୍ଥାପନା କରିଥିଲେ ଜନ୍‍ ଏଲିଅଟ ଡ୍ରିଙ୍କୱାଟର ବେଥନ(୧୮୦୧-୧୮୫୧) । ଏ ସ୍କୁଲ ସ୍ଥାପନାରେ ବିଦ୍ୟାସାଗରଙ୍କ ଭୂମିକା ଥିଲା ବହୁତ। ସେ ଘରକୁ ଘର ଯାଇ ସ୍କୁଲରେ ଭର୍ତ୍ତି କରିବାକୁ ଝିଅର ବାପାମାନଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ତାଙ୍କୁ ଲୋକେ ବିରୋଧ  କରୁଥିଲେ। ପ୍ରଥମେ ଏ ସ୍କୁଲରେ ମାତ୍ର ୬ଜଣ ଛାତ୍ରୀ ଭର୍ତ୍ତି ହୋଇଥିଲେ।

ହିନ୍ଦୁ ସମାଜରେ ବିଶେଷ କରି କୁଳୀନ ବ୍ରାହ୍ମଣ ସମାଜରେ ବହୁ ବିବାହ ପ୍ରଥା ଥିଲା। ବିଦ୍ୟାସାଗର ଏ ପ୍ରଥାର ଘୋର ବିରୋଧୀ ଥିଲେ। ଏ ପ୍ରଥାକୁ ବନ୍ଦ କରିବା ପାଇଁ ସାମାଜିକ ଆନ୍ଦୋଳନ କରିଥିଲେ। ଏହାକୁ ମଧ୍ୟ ସେତେବେଳେ ବିରୋଧ କରାଯାଇଥିଲା। ବିଦ୍ୟାସାଗରଙ୍କ ଜୀବନକାଳ ଭିତରେ ବହୁ ବିବାହ ନିଷେଦ୍ଧ ଆଇନ୍‍ ଆସି ପାରିଲା ନାହିଁ। ଏ ଆଇନ୍‍ ବହୁ ପରେ ୧୯୫୫ରେ ଆସିପାରିଲା।

ବଙ୍ଗଳା ଲିପି ଓ ଗଦ୍ୟ ଶୈଳୀରେ ବିଦ୍ୟାସାଗର ଏକ ମୌଳିକ ସଂସ୍କାର ଆଣିଥିଲେ। ତତ୍କାଳୀନ ବିଦଗ୍ଧ ସମାଜର ଏକ ବଡ଼ ଅଂଶଏହାକୁ ବିରୋଧ କରୁଥିଲେ। କିନ୍ତୁ କୌଣସି ବିରୋଧକୁ ଭୃକ୍ଷେପ ନ କରି ତାଙ୍କ ଲକ୍ଷ୍ୟରେ ଅବିଚଳିତ ରହିଥିଲେ ବିଦ୍ୟାସାଗର। ଯାହାର ଫଳସ୍ୱରୂପ ଆଧୁନିକ ବଙ୍ଗଳାର ଗଦ୍ୟ ଶୈଳୀରେ ସରଳତା ଆସିଥିଲା। ଶୈଳୀର ସଂସ୍କାର ଫଳରେ ଗଦ୍ୟ ଆହୁରି ରୁଚିକର ହୋଇଥିଲା ।

ବିଦ୍ୟାସାଗର ଅନେକଙ୍କୁ ଅନେକ ବାଟରେ ସାହାଯ୍ୟ କରୁଥିଲେ। ଅନେକ ତାଙ୍କର ଦୟାଶୀଳତାକୁ ସୁଯୋଗ ବୋଲି ମନେକରି ତାଙ୍କୁ ଠକେଇଥିଲେ। ତାଙ୍କ ସଂସ୍କାର ଧର୍ମୀ କାର୍ଯ୍ୟରେ ପରିବାରର ଲୋକେ ମଧ୍ୟ ସମର୍ଥନ ଦେଇନଥିଲେ। ବସ୍ତୁତଃ ତାଙ୍କର ପାରିବାରିକ ଜୀବନ ସୁଖର ନ ଥିଲା। ସାମାଜିକ କ୍ଷେତ୍ରରେ ବିରୋଧ ଏବଂ ଏକ ଅସୁଖୀ ପାରିବାରିକ ଜୀବନ ତାଙ୍କୁ ଅତିଷ୍ଠ କରି ପକାଇଥିଲା।ତାଙ୍କ ଜୀବନର ଶେଷ ୨୦ ବର୍ଷ ବଙ୍ଗ ପ୍ରଦେଶ ଛାଡ଼ି ବର୍ତ୍ତମାନ ଝାରଖଣ୍ଡର କାମାଟା ସ୍ଥିତ ଏକ ଆଦିବାସୀ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଘର କିଣି ରହୁଥିଲେ। ସେଠି ସେ ହୋମିଓପାଥି ଶିଖି, ସେଠାକାର ଅଞ୍ଚଳବାସୀଙ୍କୁ ଚିକିତ୍ସା କରୁଥିଲେ। ସେଠି ମଧ୍ୟ ସେ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ।

ବିଦ୍ୟାସାଗର ତାଙ୍କର ସାରା ଜୀବନ ସଂଗ୍ରାମ କରି ଆସିଛନ୍ତି। ପ୍ରାଥମିକ ଜୀବନରେ ଆର୍ଥିକ ଅନାଟନ ଭିତରେ ବିଦ୍ୟାର୍ଜନ ପାଇଁ ସଂଗ୍ରାମ। ପରବର୍ତ୍ତୀ ଜୀବନରେ ସାମାଜିକ, ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ସଂଗ୍ରାମ। ଆଉ ଏ ଦୀର୍ଘ ସଂଗ୍ରାମରେ ସେ ଖୁବ୍‍ ବେଶୀ ଲୋକଙ୍କୁ ନିଜ ସପକ୍ଷରେ ପାଇନାହାନ୍ତି।

ତାଙ୍କ ବିୟୋଗ ପରେ ରବିନ୍ଦ୍ରନାଥ ଠାକୁର ଲେଖିଥିଲେ ଯେ, ବଙ୍ଗ ପ୍ରଦେଶରେ ଘାସ, ଗୁଳ୍ମ ଭିତରେ ସେ ଥିଲେ ଏକ ମହାଦ୍ରୁମ। ତେବେ ଏ ମହାଦ୍ରୁମ ଥିଲା ଏକାକୀ। ନିସଙ୍ଗ। ତାଙ୍କ ସମସାମୟିକ ଲୋକମାନେ ତାଙ୍କର ଉଚିତ ମୂଲ୍ୟାୟନ କରିପାରିନାହାନ୍ତି। ସୁଖର କଥା ଇତିହାସ ତାହା କରିପାରିଛି।

(ଲେଖକ ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ମୁଖ୍ୟ। ମତ ନିଜସ୍ଵ)

Comment