ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିଂ। ୮୨ ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ଯଶଓ୍ଵନ୍ତ ସିଂ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵରେ ରହିଥିଲେ।

ଅସୁସ୍ଥତା କାରଣରୁ ତାଙ୍କୁ ଗତ ଜୁନ୍ ୨୫ ତାରିଖରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବିଭିନ୍ନ ଅଙ୍ଗ ଅଚଳ ହୋଇପଡ଼ିଥିଲା। ସେବେଠାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି।

ଯଶଓ୍ଵନ୍ତ ସିଂ ୧୯୬୦ ମସିହାରେ ଭାରତୀୟ ସୈନ୍ୟ ବିଭାଗର ମେଜର ପଦରୁ ଇସ୍ତଫା ଦେଇ ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ତାଙ୍କ କ୍ୟାରିଅର ଶୀର୍ଷରେ ରହିଥିଲା। ସେତେବେଳେ ସେ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵରେ ରହିଥିଲେ। ୧୯୯୮ରୁ ୨୦୦୪ ମସିହା ମଧ୍ୟରେ ସେ ଅର୍ଥ, ରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ରାଜ୍ୟସଭାକୁ ୫ ଥର ଓ ଲୋକସଭାକୁ ୪ ଥର ନିର୍ବାଚିତ ହୋଇଥିଲେ।

ଯଶଓ୍ଵନ୍ତ ସଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ଯଶଓ୍ଵନ୍ତ ସିଂ ଏକାଗ୍ରତାର ସହ ଆମ ଦେଶର ସେବା କରିଛନ୍ତି। ପ୍ରଥମେ ଜଣେ ସୈନିକ ଭାବେ ଓ ପରେ ରାଜନୀତି ସହିତ ଦୀର୍ଘ ଦିନ ଧରି ଜଡ଼ିତ ରହି ସେ ଏହି ସେବା ଯୋଗାଇଛନ୍ତି। ବିଜେପିକୁ ସଶକ୍ତ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ବୋଲି ମୋଦୀ କହିଛନ୍ତି।

ସେହିପରି ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯଶଓ୍ଵନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Comment