ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୬ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷକରି ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ବଲାଙ୍ଗିର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, କଟକ, ପୁରୀ, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାର କିଛି କିଛି ଅଞ୍ଚଳରେ ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ଅନେକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି।

Comment