ଓଡ଼ିଶାଲାଇଭ୍ ବ୍ୟୁରୋ

corona virusକରୋନା ରୋଗରୁ ସୁସ୍ଥ ହେବା ପରେ ବି ରୋଗୀମାନେ ପୁଣି ଡାକ୍ତରଖାନା ଫେରୁଥିବାରୁ ଏହା ସରକାରଙ୍କ ଚିନ୍ତା ବଢାଇ ଦେଇଛି। କିଛି ଲୋକ ସୁସ୍ଥ ହେବା ପରେ ପ୍ରାଣ ହରାଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଏହି ଦୃଷ୍ଟିରୁ ସୁସ୍ଥ ପରର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେମାନଙ୍କ ଦୀର୍ଘ ସମୟ ଯତ୍ନ ଉପରେ ଏବେ ଫୋକସ କରାଯାଉଛି।

ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ପ୍ରାୟ ୮୫ ପ୍ରତିଶତ କରୋନା ପଜିଟିଭଙ୍କ ପାଖରେ କୌଣସି ଲକ୍ଷଣ ପ୍ରକାଶ ପାଉନଥିବା ବେଳେ ଖୁବ କମ ସଂଖ୍ୟକ ରୋଗୀ ଚିକିତ୍ସିତ ହେବାପରେ ପୁନର୍ବାର ହସ୍ପିଟାଲର ଦ୍ୱାରସ୍ଥ ହେଉଛନ୍ତି। ସେମାନଙ୍କଠାରେ ଆଗରୁ ଯେଉଁ ରୋଗ ଥିଲା ତାହା ବଢ଼ିବା ସହିତ କେହି କେହି ମୃତ୍ୟୁ ମୁଖରେ ବି ପଡୁଛନ୍ତି।
corona-1ଓଡ଼ିଶା ସରକାରଙ୍କ ବିଶେଷଜ୍ଞ ମାନେ ସମସ୍ୟା ବହୁଳ ରୋଗୀଙ୍କୁ କଣ କରିବା ପାଇଁ ହେବ ଏନେଇ ପରାମର୍ଶ ଦେଉଛନ୍ତି। ସମସ୍ତ ମେଡିକାଲ କଲେଜକୁ ଏନେଇ ପରାମର୍ଶ ଦିଆଯାଇଛି। ଯେଉଁମାନେ ଡିସଚାର୍ଜ ହୋଇ ଘରକୁ ଯାଉଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ତଦାରଖ ହସ୍ପିଟାଲ  କରିବେ ବୋଲି କୁହାଯାଇଛି।

ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ କଥା ଦେଖାଯାଉ। ହସପିଟାଲରୁ ଡିସଚାର୍ଜ ହେବାର ଦୁଇ ଦିନ ପରେ ମହାରଥୀଙ୍କୁ ପୁଣି ହସ୍ପିଟାଲ ଆଣିବାକୁ ପଡ଼ିଲା। କାରଣ ତାଙ୍କ ଦେହରେ ଗୁଡ଼ାଏ ସମସ୍ୟା ଦେଖାଦେଲା ଯଥା: ଭାଇରାଲ ନିମୋନିଆ, ବେକ୍ଟେରିଆଲ ନିମୋନିଆ, ୟୁରୋସେପ୍ସିସ ବା ମୂତ୍ର ସମସ୍ୟା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଆଦି। ହସ୍ପିଟାଲରେ ଭର୍ତ୍ତି ହେବାର ଦୁଇ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା। ମହାରଥୀଙ୍କର ଅବଶ୍ୟ ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ଗମ୍ଭୀର ମୋଟାପଣ ସମସ୍ୟା ବି ଥିଲା।

ଜଣାଶୁଣା ଡାଇବେଟିସ ସ୍ପେଶାଲିଷ୍ଟ ଆଲୋକ କାନୁନଗୋ କହିଛନ୍ତି ଯେ, କରୋନା ଚିକିତ୍ସା ପରେ ଯେଉଁମାନେ ଘରକୁ ଫେରୁଛନ୍ତି ସେମାନଙ୍କ ମନେ ରଖିବା ଉଚିତ ଯେ କରୋନା ଭୂତାଣୁ ଦେହରୁ ଚାଲି ଯାଇଥାଇ ପାରେ। କିନ୍ତୁ ସେହି ଭାଇରସ ଶରୀରର ଅନ୍ୟ ଆଭ୍ୟନ୍ତରୀଣ ବ୍ୟବସ୍ଥାଗୁଡିକୁ କ୍ଷତି ପହଞ୍ଚାଇବା ସମ୍ଭବ। ଏଣୁ ଏଥି ପ୍ରତି ଧ୍ୟାନ ଦେବା ଦରକାର।ସରକାରଙ୍କ କୋଭିଡ ପରାମର୍ଶଦାତା ଜୟନ୍ତ ପଣ୍ଡା କହିଛନ୍ତି ଯେ, ସୁସ୍ଥ ହେବା ପରେ କରୋନା ରୋଗୀଙ୍କ ଠାରେ ଦୁର୍ବଳତା ଆଦି ସମସ୍ୟା ରହିବା ସ୍ୱାଭାବିକ। କିନ୍ତୁ ଯେଉଁମାନଙ୍କର ଆଗରୁ ଅନ୍ୟ ରୋଗ ଓ ସମସ୍ୟା ଥିବ ସେମାନେ ନିରନ୍ତର ଡାକ୍ତରୀ ପରାମର୍ଶ ଭିତରେ ରହିବା ଦରକାର।

Comment