ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୬ ବର୍ଷର ସରକାରରେ ଗୁଜରାଟ କ୍ୟାଡରର ଆଇଏଏସ୍, ଆଇପିଏସ୍‌, ଆଇଆର୍‌ଏସ୍ ଅଧିକାରୀମାନେ ପଲିଟିକ୍ସ କରିଡର ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି। ସେମାନେ ଏବେ ପିଏମ୍‌ଓଠାରୁ ଆରମ୍ଭ କରି ତଦନ୍ତକାରୀ ଓ ନିୟାମକ ସଂସ୍ଥାର ଦକ୍ଷ ଓ କ୍ଷମତାବାନ ଅଧିକାରୀ।

ଦେଶର ୪ ଗୁରୁତ୍ତ୍ୱପୂର୍ଣ୍ଣ ନିୟାମକ ସଂସ୍ଥାର ମୁଖ୍ୟ ଅଛନ୍ତି ଗୁଜରାଟ କ୍ୟାଡର ଅଫିସର

ଗତ ସପ୍ତାହରେ ମୋଦୀ ସରକାର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ)ର ଅଧ୍ୟକ୍ଷ ପଦରେ ପି.ଡି. ବାଘେଲାଙ୍କୁ ନିଯୁକ୍ତି ଦେଇଥିଲେ। ବାଘେଲା ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର। ବର୍ତ୍ତମାନ ଦେଶର ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ନିୟାମକ ସଂସ୍ଥାର ମୁଖ୍ୟ ଭାବେ ଗୁଜରାଟ କ୍ୟାଡର ଅଫିସର ରହିଛନ୍ତି।  ଗୁଜରାଟ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଓ ସେଠାରେ ସେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ବିଶ୍ୱସ୍ତ ଅଧିକାରୀ ହେଉଛନ୍ତି ବାଘେଲା। ୨୦୦୧୭ରେ ଦ୍ରବ୍ୟ ଓ ସେବା ଶୁଳ୍କ (ଜିଏସ୍‌ଟି) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଗତ ମାସରେ ଅବସର ନେଇଥିବା ବାଘେଲା ଏବେ ଟ୍ରାଇର ଅଧ୍ୟକ୍ଷ ପଦ ସମ୍ଭାଳିବେ। ତାଙ୍କ ପୂର୍ବରୁ ମୋଦୀଙ୍କ ବିଶ୍ୱସ୍ତ ହିସାବରେ ବରିଷ୍ଠ ଅଧିକାରୀ ଆର୍‌.ଏସ୍‌. ଶର୍ମା ଓ ନୃପେନ୍ଦ୍ର ମିଶ୍ର ୫ ବର୍ଷ ଲେଖାଏ ଏହି ପଦରେ ରହିଥିଲେ।

ସିଏଜି ହେଲେ ଗିରିଶ ମୁର୍ମୁ

ଚଳିତ ବର୍ଷ କେନ୍ଦ୍ର ସରକାର ଗୁଜରାଟ କ୍ୟାଡରର ଆଉ ଜଣେ ଅଫିସର ଜି.ସି. ମୁର୍ମୁଙ୍କୁ ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ଭାବେ ନିଯୁକ୍ତି ଦେଇଥିଲେ। ସରକାରୀ ଅଡିଟ୍ ସଂସ୍ଥାର ଏହି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ ୨୦୨୫ ପର୍ଯ୍ୟନ୍ତ କାମ କରିବେ। ଏହା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ବିଭିନ୍ନ ପଦ ଭାର ସମ୍ଭାଳିଛନ୍ତି।  ୨୦୧୯ରେ ସେ ଏହାର ବ୍ୟୟ ବିଭାଗର ସଚିବ ଭାବେ ଅବସର ନେଇଥିଲେ। ସେହିପରି ତାଙ୍କୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ କରିଥିଲେ ମୋଦୀ ସରକାର।

କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ (ସିଇଆର୍‌ସି) ଭଳି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଗୁଜରାଟର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପି.କେ. ପୂଜାରୀ ୨୦୧୮ରୁ ରହିଛନ୍ତି।  ୨୦୧୯ରେ ୧୯୮୧ର ଗୁଜରାଟ କ୍ୟାଡର ଅଫିସର ରିତା ତିଓଟିଆ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)ର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ।

ଗୁଜରାଡ କ୍ୟାଡରରୁ ଦିଲ୍ଲୀ ପାଓ୍ୱାର କରିଡର

ଏଭଳି ଟ୍ରେଣ୍ଡ କେବଳ ନିୟାମକ ସଂସ୍ଥା ଓ ଅବସରପ୍ରାପ୍ତ ଅଧିକାରୀଙ୍କ ଭିତରେ ସୀମିତ ନ ଥିଲା। ୨୦୧୪ରେ ପ୍ରଥମେ କ୍ଷମତାକୁ ଆସିବା ପରେ ମୋଦୀ ଗୁଜରାଟର ପ୍ରଶାସନିକ ଅଧିକାରୀଙ୍କୁ ଆଣି ନିଜ ଶାସନରେ ସାମିଲ କରାଇଥିଲେ। ପାୱାର କରିଡର ଥିବା ଦିଲ୍ଲୀର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଆରମ୍ଭ କରି ପ୍ରମୁଖ ମନ୍ତ୍ରଣାଳୟ, ତଦନ୍ତକାରୀ ସଂସ୍ଥା, ଭାରତର ପ୍ରମୁଖ ଶୁଳ୍କ ଆଦାୟକାରୀ ପ୍ରାଧିକରଣର ପ୍ରମୁଖ ପଦପଦବୀରେ ଅବସ୍ଥାପିତ ଥିବା ଅଧିକାରୀଙ୍କ ଲିଙ୍କ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟ ସହ ରହିଛି।

ପି.କେ. ମିଶ୍ରଙ୍କ ପାଇଁ ତିଆରି ହେଲା ସ୍ୱତନ୍ତ୍ର ପଦବୀ

ପିଏମ୍‌ଓର ମୁଖ୍ୟ ଦାୟିତ୍ୱରେ ଥିବା ପି.କେ. ମିଶ୍ର ୧୯୭୨ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଅଫିସର। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ତାଙ୍କର ପ୍ରମୁଖ ସଚିବ ଥିଲେ। ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମିଶ୍ରଙ୍କୁ ଅବସ୍ଥାପିତ କରିବା ପାଇଁ ଅତିରିକ୍ତ ପ୍ରମୁଖ ଶାସନ ସଚିବ ବୋଲି ଏକ ପଦବୀ ସୃଷ୍ଟି କରାଗଲା। ୫ ବର୍ଷ ସେହି ପଦବୀରେ ରହିବା ପରେ ଗତ ବର୍ଷ ସେ ମୋଦୀଙ୍କ ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ୨୦୧୯ରେ ନୃପେନ୍ଦ୍ର ମିଶ୍ର ଦାୟିତ୍ୱ ଛାଡ଼ିବା ପରେ ପି.କେ. ମିଶ୍ର ସେଠାରେ ଅବସ୍ଥାପିତ ହୋଇଛନ୍ତି। କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯିବା ସହ ତାଙ୍କର ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛି ପିଏମ୍‌ଓ।

ମୋଦୀଙ୍କ ବ୍ୟକ୍ତିଗତ ସଚିବ ହେବାରେ ହାର୍ଦ୍ଦିକ ଶାହ ସର୍ବକନିଷ୍ଠ

ସେହିପରି ଆଉ ଜଣେ ହେଉଛନ୍ତି ହାର୍ଦ୍ଦିକ ଶାହ ଯାହାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି। ୨୦୧୫ରେ ଆଇଏଏସ୍‌ ହେବା ପୂର୍ବରୁ ହାର୍ଦ୍ଦିକ ଗୁଜରାଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଜିପିସିବି)ର କନିଷ୍ଠ ଯନ୍ତ୍ରୀ ଥିଲେ। ୨୦୧୭ରେ ମୋଦୀ ତାଙ୍କୁ ଦିଲ୍ଲୀକୁ ଡେପୁଟେସନରେ ଅଣାଯାଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ୟକ୍ତିଗତ ସଚିବ କରାଯାଇଥିଲା। ୨୦୧୯ରେ ସେ ପିଏମ୍‌ଓକୁ ଉପସଚିବ ହୋଇ ଆସିଲେ ଯେଉଁ ପଦବୀରେ ତାଙ୍କ ପୂର୍ବରୁ ଅନ୍ୟ ଜଣେ ଗୁଜୁଣା କ୍ୟାଡର ଅଫିସର ରାଜୀବ ଟପ୍ନୋ ଦାୟିତ୍ୱରେ ଥିଲେ। ଶେଷରେ ସେ ମୋଦୀଙ୍କ ବ୍ୟକ୍ତିଗତ ସଚିବ ହେଲେ। ଏଭଳି ଦାୟିତ୍ୱ ପାଇବାରେ ସେ ସର୍ବକନିଷ୍ଠ ଅଫିସର।

ସେହିଭଳି ମୋଦୀଙ୍କ ଛାୟା ଭାବେ ପରିଚିତ ସଞ୍ଜୟ ଭବସାର ଗୁଜରାଟ ପ୍ରଶାସନିକ ସେବାରୁ ୨୦୧୪ରେ ଓଏସ୍‌ଡି (ଅଫିସର ଇନ୍ ସ୍ପେଶାଲ ଡ୍ୟୁଟି) ଭାବେ କେନ୍ଦ୍ର ସରକାରଙ୍କ ଅଧୀନକୁ ଆସିଥିଲେ। ପିଏମ୍‌ଓରେ ଦୁଇବର୍ଷ ଓଏସ୍‌ଡି ରହିବା ପରେ ତାଙ୍କୁ ଆଇଏଏସ୍‌କୁ ପଦୋନ୍ନତି ମିଳିଥିଲା। ସେହିପରି ଗୁଜରାଟର ଆଉ ଦୁଇଜଣ ଅଫିସର ହିରେନ ଯୋଶୀ ଓ ପ୍ରତୀକ ଦୋଷୀଙ୍କୁ ଆଇଏଏସ୍ ପଦୋନ୍ନତି ସହ ଚଳିତ ବର୍ଷ ଯୁଗ୍ମ ସଚିବ କରାଯାଇଛି।

ବିଭିନ୍ନ ମନ୍ତ୍ରଣାଳୟରେ ବି ଗୁଜରାଟ କ୍ୟାଡରଙ୍କ ଦବ୍‌ଦବା

କେବଳ ପିଏମ୍‌ଓ ନୁହେଁ, ବିଭିନ୍ନ ମନ୍ତ୍ରଣାଳୟରେ ମଧ୍ୟ ଗୁଜରାଟ କ୍ୟାଡର ଅଫିସରଙ୍କ ଦବ୍‌ଦବା ରହିଛି। ୧୯୮୯ ବ୍ୟାଚର ଗୁଜରାଟ କ୍ୟାଡର ଅଫିସର କଟିକିଥାଲା ଶ୍ରୀନିବାସଙ୍କୁ କ୍ୟାବିନେଟର ନିଯୁକ୍ତି ପରିଷଦ (ଏସିସି)ରେ ସଚିବ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗୁରୁପ୍ରସାଦ ମହାପାତ୍ର (ଡିପାର୍ଟମେଣ୍ଟ ଫର ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ୍‌ର ସଚିବ), ଏ.କେ. ଶର୍ମା (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ), ଅନୀତ କରଓ୍ୱାଲ (ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ସଚିବ), ଆର୍.ପି. ଗୁପ୍ତା (ନୀତି ଆୟୋଗର ସ୍ୱତନ୍ତ୍ର ସଚିବ) ଗୁଜରାଟ କ୍ୟାଡରରୁ ଆସିଛନ୍ତି।  ମୋଦୀଙ୍କ ଅନୁଗତ ଥିବା ୧୯୮୮ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଭରତ ଲାଲ ଚଳିତ ବର୍ଷ ଏଇ ନିକଟରେ ଜଳଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ହୋଇଛନ୍ତି। ଲାଲ ୨୦୧୦ରୁ ୨୦୧୪ ମଧ୍ୟରେ ମୋଦୀଙ୍କ ପରିଚାଳିତ ଗୁଜରାଟ ସରକାରଙ୍କ ଆବାସିକ କମିସନର ଭାବେ ଦିଲ୍ଲୀରେ ଅବସ୍ଥାପିତ ଥିଲେ।

ଗୁଜରାଟର ପୋଲିସ ଅଧିକାରୀ ଦିଲ୍ଲୀରେ ପାଓ୍ୱାରଫୁଲ

୨୦୧୮ରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସହ ଆଇପିଏସ୍‌ ଅଫିସର ତଥା ତତ୍କାଳୀନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଉଠିଥିଲା। ସିବିଆଇ ତାଙ୍କୁ ଚଳିତ ବର୍ଷ ସେହି ମାମଲାରେ କ୍ଲିନ ଚିଟ୍ ଦେଇଥିଲା। ବର୍ତ୍ତମାନ ରାକେଶ ଆସ୍ଥାନା ବିଏସ୍‌ଏଫ୍ ଓ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମହାନିର୍ଦ୍ଦେଶକ (ଡିଜି) ପଦବୀରେ ରହିଛନ୍ତି।  କୌଣସି ରାଜ୍ୟର ସ୍ୱତନ୍ତ୍ର ଅନୁମତି ନ ଥାଇ ବି ଆତଙ୍କବାଦ ସମ୍ପର୍କିତ ତଦନ୍ତରେ ଦେଶବ୍ୟାପୀ ପହଞ୍ଚି ପାରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁଖ୍ୟ ଭାବେ ଅବସ୍ଥାପିତ ଅଛନ୍ତି ୧୯୮୪ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇପିଏସ୍ ଅଫିସର ଓ୍ୱା.ସି. ଗୁପ୍ତା।

୧୯୮୨ର ଆଇଆର୍‌ଏସ୍‌ ଅଫିସର ପି.ସି. ମୋଦୀ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ପୂର୍ବରୁ ଏହି ପଦବୀରେ ଥିଲେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା। ତେବେ ମୋଦୀଙ୍କ ଟିମ୍‌ରେ ଯଦିଓ ତାଙ୍କର ବିଶ୍ୱସ୍ତ ଗୁଜରାଟ କ୍ୟାଡରମାନେ ସୁଯୋଗ ପାଇଛନ୍ତି ଓ ସେମାନଙ୍କର ଦବ୍‌ଦବା ରହିଛି; କିନ୍ତୁ ମୋଦୀଙ୍କ ଟିମ୍ ଦେଶର ବିଭିନ୍ନ ଅଧିକାରୀଙ୍କୁ ନେଇ ସଶକ୍ତ ଓ ବ୍ୟବସ୍ଥିତ ହୋଇଛି।

Comment