ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜରୁ ଯାଇ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ହେଲେ ଗିରିଶ ଚନ୍ଦ୍ର ମୁର୍ମୁ। ଜାଣନ୍ତୁ ସମ୍ପୂର୍ଣ୍ଣ ଜୀବନ ଯାତ୍ରା।

ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ଶପଥ ନେଇ ସାରିଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ। ଗୁରୁବାର ସେ ବିଧିବଦ୍ଧ ଭାବେ ଏହି ନୂଆ କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି।

କିଏ ଏହି ଗିରିଶ ମୁର୍ମୁ

୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ୍ ଅଫିସର୍ ହେଉଛନ୍ତି ଗିରିଶ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଗିରିଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ଏମଏ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଲଣ୍ଡନ ଯାଇ ସେଠାରେ ବର୍ମିଂହୋମ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ ପଢ଼ିଥିଲେ।

୫୯ ବର୍ଷୀୟ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ଅନୁଗତ ଭାବେ ସେ ବେଶ୍ ପରିଚିତ। ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ଗିରିଶ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦୀଙ୍କ ମୁଖ୍ୟମନ୍ତ୍ରୀ ଶାସନ କାଳରେ ସେ ଗୁଜୁରାଟରେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିଲେ।

୨୦୧୫ ମସିହାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବାକୁ ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହୋଇପାରିନଥିଲେ।

ବ୍ରିଟିଶ ଲେଖକ ଲାନ୍ସ ପ୍ରାଇସଙ୍କ ପ୍ରସିଦ୍ଧ ପୁସ୍ତକ ‘ଦ ମୋଦୀ ଇଫେକ୍ଟ: ଇନସାଇଡ ନରେନ୍ଦ୍ର ମୋଦୀ କ୍ୟାମ୍ପେନ୍ ଟୁ ଟ୍ରାନ୍ସଫର୍ମ ଇଣ୍ଡିଆ’ ରେ ତାଙ୍କୁ ମୋଦୀଙ୍କ ଆଇନ୍ ବ୍ୟାପାରର ମୁଖ୍ୟ ଭାବେ ବର୍ଣ୍ଣନା କରାଯାଇଛି।

୨୦୧୫ ମସିହାରେ ସେ ବ୍ୟୟ ବିଭାଗର ସହ-ସଚିବ ଭାବେ ନିଯୁକ୍ତି ହୋଇଥିଲେ। ଏହାପରେ ୨୦୧୭ରେ ତାଙ୍କୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ପଦ ମିଳିଥିଲା।

୨୦୧୯ ମସିହାରେ ତାଙ୍କୁ ବ୍ୟୟ ବିଭାଗର ସଚିବ ଭାବରେ ଦାୟିତ୍ୱ ମିଳିଥିଲା।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ଜମ୍ମୁ କଶ୍ମୀର ଓ ଲଦାଖ ନାମକ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଦିଆଯାଇଥିଲା। ବର୍ତ୍ତମାନ ତାଙ୍କୁ ଜମ୍ମୁ କଶ୍ମୀର ପ୍ରଥମ ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି।

Comment